ମାସିକ ଋତୁସ୍ରାବ ହୋଇଥିଲେ ବି ନେଇପାରିବେ ଟିକା

କଟକ: ସୋସିଆଲ ମିଡିଆରେ ମାସିକ ଋତୁସ୍ରାବ ସମୟରେ ଓ ତା’ର ୫ ଦିନ ପୂର୍ବରୁ ଓ ୫ ଦିନ ପରେ ଆଦୌ କରୋନା ଟିକା ନିଅନ୍ତୁନି ବୋଲି ଦିଆଯାଉଥିବା ପରାମର୍ଶ ଭାଇରାଲ ହେବାରେ ଲାଗିଛି । କିନ୍ତୁ ଏ ସମ୍ପର୍କରେ ବିଶେଷଜ୍ଞଙ୍କ ମତ ସମ୍ପୂର୍ଣ୍ଣ ଭିନ୍ନ । କଟକ ବଡ଼ ମେଡିକାଲ ମେଡିସନ ବିଭାଗ ମୁଖ୍ୟ ତଥା ରାଜ୍ୟ ସରକାରଙ୍କ କୋଭିଡ ବୈଷୟିକ ପରାମର୍ଶଦାତା ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ କହିବା ଅନୁସାରେ ମାସିକ ଋତୁସ୍ରାବ ସହିତ ଟିକାର କୌଣସି ସମ୍ପର୍କ ନାହିଁ । ଏସବୁ ଗୁଜବ । ତେଣୁ ଏହା ଉପରେ କୌଣସି ବ୍ୟକ୍ତି ଆଦୌ ବିଶ୍ୱାସ କରନ୍ତୁ ନାହିଁ । ସେହିପରି କଟକ ବଡ଼ ମେଡିକାଲର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ତୁଷାର କରଙ୍କ କହିବା ଅନୁସାରେ ମାସିକ ଋତୁସ୍ରାବ ଏକ ନିୟମିତ ପ୍ରକି୍ରୟା । ଏହା ସହିତ କୋଭିଡ ଟିକାଦାନର କୌଣସି ସମ୍ପର୍କ ନାହିଁ । ତେଣୁ ଋତୁସ୍ରାବ ସମୟରେ ମଧ୍ୟ ଜଣେ ଟିକା ନେଇପାରିବେ । ବର୍ତ୍ତମାନ ସୁଦ୍ଧା ଆମେ ଦେଶରେ କେବଳ ଗର୍ଭବତୀ ମହିଳା ଓ ଖିର ଖୁଆଉଥିବା ମା ମାନଙ୍କ ପାଇଁ ଟିକାଦାନର ବ୍ୟବସ୍ଥା ହୋଇନାହିଁ । କିନ୍ତୁ ପାଶ୍ଚାତ୍ୟ ଦେଶରେ ସେଭଳି ମା ମାନଙ୍କୁ ଟିକା ଦିଆଯାଇଛି । ଏହି ଆଧାରରେ ୨/୩ ଦିନ ତଳୁ କେତୋଟି ସନ୍ଦର୍ଭ ଭାରତରେ ଏଭଳି ମହିଳାମାନଙ୍କୁ ଟିକା ଦେବାର ସମ୍ଭାବନାକୁ ଉଜ୍ଜୀବିତ କରିଛି । ଫଳରେ ଭାରତରେ ମଧ୍ୟ ଆଗକୁ ଗର୍ଭବତୀ ଓ କ୍ଷୀର ଖୁଆଉଥିବା ମା ମାନଙ୍କୁ ଟିକା ଦିଆଯାଇ ପରେ ବୋଲି ଡାକ୍ତର କର କହିଛନ୍ତି ।
Powered by Froala Editor