ଭୁବନେଶ୍ୱରରେ ଆଉ ୭ଟି ଅଂଚଳ କଣ୍ଟେନମେଣ୍ଟ
ଭୁବନେଶ୍ୱର: ଉପରମୁହାଁ ହେଉଛି କରୋନା ସଂକ୍ରମଣ । କାୟା ମେଲାଉଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ଦିନକୁ ଦିନ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଦେଶବାସୀଙ୍କ ମନରେ ଛନକା ପଶିଛି । କିପରି ଓମିକ୍ରନର ମୁକାବିଲା କରିହେବ, ଏଥିପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷପ ନେଉଛନ୍ତି, ତଥାପି ସବୁ କଟକଣାକୁ ଭେଦ କରି ଓମିକ୍ରନ ଦ୍ରୁତ ଗତିରେ ସଂକ୍ରମଣ କରିବାରେ ଲାଗିଛି ।
ଏହାରି ଆଜି ଓଡିଶରେ ୪୭୧୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୫ରହିଛି । ଗତକାଲି ସନ୍ଧ୍ୟାରେ ୧୪ଜଣ ନୂଆ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିଲେ । ତେବେ ଖୋର୍ଦ୍ଧାରୁ ସର୍ବାଧିକ କରୋନା ପଜିଟିଭ୍ ଚିହ୍ନଟ ହେଉଥିବାରୁ ଏଠାରେ କଟକଣାକୁ କଡାକଡି କରାଯାଇଛି ।
ପୂର୍ବରୁ ରାଜଧାନୀରେ ୧୪ଟି ଅଞ୍ଚଳକୁ ବିଏମସି କଣ୍ଟେନମେଣ୍ଟ ଘୋଷଣା କରିଥିଲା । ଗତକାଲି ଆଉ ୧୧ ଅଞ୍ଚଳକୁ ମିଶାଇ ମୋଟ ସଂଖ୍ୟା ୨୫ଟି ଅଂଚଳରେ କଣ୍ଟେନମେଣ୍ଟ ଘୋଷଣା ହୋଇଥିଲା । ତେବେ ପୁଣି ଆଜି ଭୁବନେଶ୍ୱରରେ ବିଏମସି ପକ୍ଷରୁ ଆଉ ୭ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଭୁବନେଶ୍ୱର ଦକ୍ଷିଣ ପୂର୍ବ ଜୋନର ଆଉ ୭ଟି ସ୍ଥାନ କଣ୍ଟେନମେଣ୍ଟ ଘୋଷଣା ହୋଇଥିବା ସୂଚନା ମିଳିଛି । ଏକାଧିକ ପଜିଟିଭ୍ ଚିହ୍ନଟ ପରେ ବିଏମସି ପକ୍ଷରୁ ଏହି ପଦକ୍ଷପ ନିଆଯାଇଛି । କଣ୍ଟେନମେଣ୍ଟ ଅଞ୍ଚଳରେ ୭ ଦିନ ପାଇଁ କଟକଣା ଜାରି ରହିବ । ଏହି ଅଞ୍ଚଳରେ ଲୋକଙ୍କୁ ଘରୁ ବାହାରକୁ ବାହାରିବାକୁ ବାରଣ କରାଯାଇଛି । ବିଏମସି ପକ୍ଷରୁ ଏହି ଅଞ୍ଚଳରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।
Powered by Froala Editor