ବ୍ରେକ୍ଅପ୍ ପରେ ଗାଲଫ୍ରେଣ୍ଡକୁ ଟଙ୍କା ଫେରସ୍ତ ମାଗିଲେ ସିଇଓ
ସିଙ୍ଗାପୁରରେ ରହୁଥିବା ଜଣେ ଭାରତୀୟ ବଂଶୋଦ୍ଭବ ସିଇଓ ପ୍ରେମିକାଙ୍କୁ ଟଙ୍କା ଫେରସ୍ତ ମାଗି ହଟହଟା ହୋଇଛନ୍ତି । ଟଙ୍କା ଫେରିପାଇବା ଲାଗି ସିଇଓ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାବେଳେ କୋର୍ଟ ତାଙ୍କର ଆବେଦନକୁ ଖାରଜ କରିଦେଇଛନ୍ତି ।
ଏକ ଭାରତୀୟ ଲଜିଷ୍ଟିକ୍ସ କମ୍ପାନି ଟିସିଆଇ ଏକ୍ସପ୍ରେସ ଲିମିଟେଡ୍ର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଚନ୍ଦେର ଅଗ୍ରୱାଲ ନିକଟରେ ତାଙ୍କର ପୂର୍ବତନ ପ୍ରେମିକା ଫେଲିସିଆ ଲି’ଙ୍କ ବିରୋଧରେ ସିଙ୍ଗାପୁର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତାଙ୍କ ଗାର୍ଲଫେଣ୍ଡଙ୍କ ପିଛା ପ୍ରାୟ ୩.୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ତେବେ ବ୍ରେକ୍ଅପ୍ ପରେ ୩.୫ କୋଟି ଟଙ୍କା ଦେଇଥିବା ଦର୍ଶାଇ ତାକୁ ଫେରି ପାଇବାକୁ ଦାବି କରିଥିଲେ ।
୨୦୧୯ରେ ଏକ ବିମାନଯାତ୍ରା ସମୟରେ ଅଗ୍ରୱାଲ ଏବଂ ଲି’ ପରିଚିତ ହୋଇଥିଲେ । ୨୦୨୨ରେ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । କିନ୍ତୁ ଲି’ ତାଙ୍କ ସହ ବିଶ୍ୱାସଘାତକତା କରୁଥିବା ଅଗ୍ରୱାଲ ମନେ କରିବା ଯୋଗୁ ୨୦୨୩ରେ ଉଭୟଙ୍କର ବ୍ରେକଅପ୍ ହୋଇଥିଲା । ପ୍ରେମ ସଂପର୍କ ଥିବାବେଳେ ଅଗ୍ରୱାଲ ଲି’ଙ୍କ ପଛରେ ବିପୁଳ ପରିମାଣରେ ଅର୍ଥ ଖର୍ଚ୍ଚ କରିଥିଲେ । ସେଥିମଧ୍ୟରେ ବିଭିନ୍ନ ବ୍ରାଣ୍ଡର ବିଳାସପୂର୍ଣ୍ଣ ଜିନିଷ କିଣିବା, ବିଦେଶଯାତ୍ରା, ଜୀବନବୀମା ପ୍ରିମିୟମ ଭରିବା ପ୍ରଭୃତି ସାମିଲ ଥିଲା। ବ୍ରେକଅପ୍ ପରେ କୋର୍ଟରେ ଅଗ୍ରୱାଲ ଦର୍ଶାଇଥିଲେ ଯେ, ଲି’ ତାଙ୍କୁ ଋଣ ଆକାରରେ ଏହି ଅର୍ଥ ମାଗିଥିଲେ । ଏ ସଂକ୍ରାନ୍ତରେ ସେ ଏକ ହାତଲେଖା ଚୁକ୍ତିନାମାକୁ ଉପସ୍ଥାପନ କରିଥିଲେ । ସେଥିରେ ଲି’ଙ୍କର ସ୍ୱାକ୍ଷର ଥିବା କହିଥିଲେ । କୋର୍ଟ କିନ୍ତୁ ତାଙ୍କ ଯୁକ୍ତିକୁ ଗ୍ରହଣ କରିନଥିଲେ । ତେବେ ସେହି ଅର୍ଥ ମୁଖ୍ୟତଃ ଉପହାର ଆକାରରେ ଦିଆଯାଇଥିବା ନେଇ ପ୍ରମାଣ ପାଇବା ପରେ କୋର୍ଟ ଅଗ୍ରୱାଲଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ।
Powered by Froala Editor