ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ପାଇଁ ବଡ଼ ଘୋଷଣା : ବଢିଲା ପ୍ରୋତ୍ସାହନ ରାଶି
ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ଅଙ୍ଗନବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ଅଙ୍ଗନବାଡ଼ି ସହାୟିକା ମାନେ ୬୨ ବର୍ଷ ବୟସରେ ସେବାରୁ ନିବୃତ ହେବା ସମୟରେ ସେମାନଙ୍କୁ ପ୍ରୋତ୍ସାହନ ରାଶି ଦିଆଯାଉଥିବା ବେଳେ ସରକାର ଏହାକୁ ବଢ଼ାଇ ଦେଇଛନ୍ତି। ଅଙ୍ଗନବାଡ଼ି କର୍ମୀମାନେ ସେବା ନିବୃତ ହେବା ସମୟରେ ୨୦ ହଜାର ଟଙ୍କା ବଦଳରେ ଏକକାଳୀନ ୪୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପାଇବେ। ମିନି ଅଙ୍ଗନବାଡ଼ି କର୍ମୀମାନଙ୍କର ପ୍ରୋତ୍ସାହନ ରାଶି ୧୫ ହଜାର ଟଙ୍କାରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିଭଳି ଅଙ୍ଗନବାଡ଼ି ସହାୟିକା ମାନଙ୍କର ପ୍ରୋତ୍ସାହନ ରାଶି ୧୦ ହଜାରରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।
ଏହି ନୂତନ ପ୍ରୋତ୍ସାହନ ରାଶିକୁ ପିଛିଲା ଭାବେ ୨୦୧୯ ଜାନୁଆରୀ ପହିଲା ଠାରୁ ଲାଗୁ କରାଯାଇଛି। ଏହାଦ୍ୱାର ବର୍ତ୍ତମାନ ସୁଦ୍ଧା ସେବା ନିବୃତ ହୋଇଥିବା ୧୯୯୧ ଜଣ ଅଙ୍ଗନବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ଅଙ୍ଗନବାଡ଼ି ସହାୟିକା ଉପକୃତ ହେବେ। ଅନ୍ୟପକ୍ଷରେ ସରକାରଙ୍କ ଏହି ଘୋଷଣା ଦ୍ୱାରା ରାଜ୍ୟର ମୋଟ ୧ ଲକ୍ଷ ୩୦ ହଜାର ଅଙ୍ଗନବାଡ଼ି କର୍ମୀ ଉପକୃତ ହେବେ।
ମିଶନ ଶକ୍ତି ଆନ୍ଦୋଳନର ଗୁରୁତ୍ୱ ତଥା ଗୋଷ୍ଠୀ ସହାୟକ କର୍ମଚାରୀମାନଙ୍କ ଅନୁରୋଧ କ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ବିଭିନ୍ନ ପଞ୍ଚାୟତରେ ସେବା ଯୋଗାଉଥିବା ୫୦ ହଜାର ଗୋଷ୍ଠୀ ସହାୟକ କର୍ମଚାରୀ ମାନଙ୍କ ପାଇଁ ଏହି ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଘୋଷଣା ମୁତାବକ ସମସ୍ତ ଗୋଷ୍ଠୀ ସହାୟକ କର୍ମଚାରୀ ମାନଙ୍କୁ ବାର୍ଷିକ ପୋଷାକ ଭତ୍ତା ଭାବରେ ୧୦୦୦ ଟଙ୍କା ମିଳିବ । ସମସ୍ତଙ୍କୁ ପରିଚୟ ପତ୍ର ଯୋଗାଇ ଦିଆଯିବ। ସେମାନଙ୍କ ପସନ୍ଦର ସ୍ମାର୍ଟ ଫୋନ କିଣିବା ପାଇଁ ଗୋଷ୍ଠୀ ସହାୟକ କର୍ମାଚାରୀମାନଙ୍କୁ ଏକକାଳୀନ ୫୦୦୦ ଟଙ୍କା ସହାୟତା ଯୋଗାଇ ଦିଆଯିବ। । ସବୁ CRP- CM ମାନଙ୍କୁ ପାରିଶ୍ରମିକ ଭାବରେ ମାସିକ ୩୦୦୦ ଟଙ୍କା ପ୍ରଦାନ କରାଯିବ । ସବୁ CRP- CM ମାନଙ୍କୁ ଗସ୍ତ ଖର୍ଚ୍ଚ ବାବଦ ମାସିକ ୩୫୦ ଟଙ୍କା ପ୍ରଦାନ କରାଯିବ । ଟେଲିଫୋନ ଭତ୍ତା ବାବଦରେ CRP- CM ମାନଙ୍କୁ ମାସିକ ୧୫୦ ଟଙ୍କା ପ୍ରଦାନ କରାଯିବ । ଯାହାଫଳରେ ଏହା ବୃଦ୍ଧି ପାଇ ୨୫୦ ଟଙ୍କାରେ ପହଞ୍ଚିବ । ଏହି ପ୍ୟାକେଜକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଆବଶ୍ୟକ ଆର୍ଥିକ ବ୍ୟବସ୍ଥା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
Powered by Froala Editor