ଜଗନ୍ନାଥଙ୍କ ଜମିକୁ ନେଇ ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି, ଜାଣନ୍ତୁ କଣ?
ଭୁବନେଶ୍ୱର : ମହାପ୍ରଭୂ ଜଗନ୍ନାଥଙ୍କ ଜମିକୁ ନେଇ ରାଜ୍ୟ କ୍ୟାବିନେଟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଶ୍ରୀ ଜଗନ୍ନାଥ ମନ୍ଦିର ତଥା ପରିଚାଳନା କମିଟି ଅଧିନରେ ଥିବା ସ୍ଥାବର ସମ୍ପତି ଜମିବାଡ଼ି ପ୍ରଭୃତିର ମାଲିକାନା ସ୍ୱତ୍ୱ ପରିବର୍ତନ ସହ ସଂପୃକ୍ତ ମାମଲାଗୁଡ଼ିକର ତୁରନ୍ତ ଫଇସଲା ତଥା କଟକଣାକୁ ପ୍ରତିହତ କରିବା ପାଇଁ ବିଭିନ୍ନ ଅଧିକାରୀମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ଏଥିପାଇଁ ରାଜ୍ୟ ସରକାର ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ୧୯୫୪କୁ ସଂଶୋଧନ କରିବାକୁ ସ୍ଥିର କରି ଏକ ଅଧ୍ୟାଦେଶ ଜାରି କରିବାକୁ ନିଷ୍ପତି ନେଇଛନ୍ତି । କ୍ୟାବିନେଟରେ ଏସଂକ୍ରାନ୍ତୀୟ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।
ଅପରପକ୍ଷରେ ଏନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତିଯେ, ମୁଖ୍ୟମନ୍ତ୍ରୀ କ୍ୟାବିନେଟ ବୈଠକରେ ଏହି ଐତିହାସିକ ନିଷ୍ପତ୍ତିକୁ ଅନୁମୋଦନ କରିଛନ୍ତି । ଏହି ନିଷ୍ପତ୍ତିି ଅନୁଯାୟୀ ଦୀର୍ଘଦିନ ଧରି ଶ୍ରୀଜଗନ୍ନାଥ ମନ୍ଦିରର ଯେଉଁ ଜମି ରହିଛି, ସେହି ଜମିରେ ଯେଉଁମାନେ ବସବାସ କରୁଛନ୍ତି ବା ଅଧିକାର କରି ରହୁଛନ୍ତି, ସେ ନିଷ୍ପତ୍ତି ଦୀର୍ଘ ଦିନ ଧରି ହୋଇପାରୁନଥିଲା ।
ଆଜି କ୍ୟାବିନେଟରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ୧୯୫୪ ଆକ୍ଟ ଅନୁଯାୟୀ ଥିବା ନିୟମରେ ସଂଶୋଧନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସେହି ନିଷ୍ପତ୍ତି ଅନୁଯାୟୀ, ଯେଉଁମାନେ ଶ୍ରୀମନ୍ଦିରର ଜମି ଅଧିକାର କରି ବହୁବର୍ଷ ଧରି ରହି ଆସୁଛନ୍ତି ସେମାନେ ପଟା ପାଇବା ପାଇଁ ଚାହୁଁଥିଲେ । କିନ୍ତୁ ରହିଥିବା ନିୟମ ଅନୁସାରେ ସେମାନେ ସେ ଜମିକୁ ସମ୍ପୂର୍ଣ୍ଣ ଭାବେ ଅଧିକାର କରିବା ସମ୍ଭବ ହୋଇପାରୁନଥିଲା । ସମସ୍ତ ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟକୁ ଆସୁଥିଲା ଓ ଆଇନ ବିଭାଗକୁ ଯାଉଥିଲା । ଏ ସମସ୍ତ ବ୍ୟବସ୍ଥାକୁ ସରଳୀକରଣ କରିବା ପାଇଁ ଆଇନରେ ସଂଶୋଧନ କରାଯାଇଛି । ଏହି ସଂଶୋଧନ ଫଳରେ , ଯେଉଁମାନେ ଜମି ବିକ୍ରି କରୁଛନ୍ତି, ଲିଜ୍ ନେଉଛନ୍ତି କିମ୍ବା ବନ୍ଧକ ଆକାରରେ ହସ୍ତାନ୍ତର କରିବା ପାଇଁ ସରକାରଙ୍କ ପାଖରେ ଆବେଦନ କରୁଥିଲେ, ସେମାନଙ୍କୁ ଆଉ ରାଜ୍ୟ ସରକାରଙ୍କ ପାଖରେ ଆବେଦନ କରିବାକୁ ପଡ଼ିବ ନାହିଁ । ସେମାନେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଶ୍ରୀମନ୍ଦିର ପ୍ରଶାସକଙ୍କ ପାଖରେ ତାଙ୍କର ଆବେଦନ କରିବେ । କେବଳ ଜଣଙ୍କୁ ଏ ନିଷ୍ପତ୍ତି ନେବା ପାଇଁ ଦାୟିତ୍ତ୍ୱ ଦିଆଯିବ ନାହିଁ , ବିଭିନ୍ନ ସ୍ତରରେ ଥିବା ବିଭାଗୀୟ ଅଧିକାରୀମାନେ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।
Powered by Froala Editor