ପୁଅ ସାଜିଲା ବଇରୀ, ବାଡେ଼ଇ ବାଡେଇ ମା’କୁ ହତ୍ୟା କଲେ ବାପ ପୁଅ

ଉଦଳା : ସ୍ୱାମୀ ଭୁଲିଗଲା ସାତ ଜନ୍ମ ପାଇଁ ହାତ ଧରିଥିବା ସ୍ତ୍ରୀ ପ୍ରତି ଭଲପାଇବା । ତେଣେ ଅନ୍ତଚିରି ଜନ୍ମ ଦେଇଥିବା ପୁଅ ବି ସାଜିଲା ବଇରୀ । ସାମାନ୍ୟ ଘରୋଇ କଳିକୁ କେନ୍ଦ୍ର କରି ଅତି ନିର୍ଦ୍ଧୟ ଭାବେ ବାଡେ଼ଇ ବାଡେଇ ମା’କୁ ହତ୍ୟା କଲେ ବାପ ପୁଅ । ଯେଉଁ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଦିଘିନୂଆସାହି ଗ୍ରାମରେ । ଯାହାକୁ ନେଇ ମୃତକଙ୍କ ବାପଘର ଲୋକେ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଦୁଇ ଅଭିଯୁକ୍ତ ବାପ ପୁଅ ହତ୍ୟାକାଣ୍ଡ ଭିଆଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।
ଅଭିଯୋଗ ଅନୁସାରେ, ଦିଘିନୂଆସାହି ଗ୍ରାମର ଛତିଶ କୁମାର ବେହେରା ଏବଂ ତାଙ୍କ ପୁଅ କାର୍ତ୍ତିକ ବେହେରା ଉଭୟ ମିଶି ମା’ ଚନ୍ଦ୍ରକାନ୍ତ ବେହେରା (୪୩)ଙ୍କୁ ଗତକାଲି ରାତିରେ ହତ୍ୟା କରିଛନ୍ତି । ଛତିଶ ବେହେରା ସ୍ତ୍ରୀ ଚନ୍ଦ୍ରକାନ୍ତିଙ୍କୁ ୭ ହଜାର ଟଙ୍କା ମାଗିଥିଲେ । ଟଙ୍କା ନେଣଦେଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ଏତେ ଉଗ୍ରରୂପ ନେଲା ଯେ ଛତିଶ ଏବଂ ତାଙ୍କ ପୁଅ କାର୍ତ୍ତିକ ମିଶି ଚନ୍ଦ୍ରକାନ୍ତିଙ୍କୁ ବାଡେଇ ବାଡେଇ ଗୁରୁତର କରିଥିଲେ । ପରେ ତାଙ୍କ ପାଟିରେ ବିଷ ଢାଳିଦେଇଥିଲେ । ଗୁରୁତର ଅବସ୍ଥାରେ ଚନ୍ଦ୍ରକାନ୍ତିଙ୍କୁ ପ୍ରଥମେ ଉଦଳା ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଥିଲା । ହେଲେ ବାରିପଦାରେ ତାଙ୍କର ମୃତୁ୍ୟ ଘଟିଛି । ଯାହାକୁ ନେଇ ଚନ୍ଦ୍ରକାନ୍ତିଙ୍କ ଭାଇ ଚିତ୍ତରଞ୍ଜନ ଉଦଳା ଥାନାରେ ଏକ ମାମଲା ରୁଜୁ କରିଛନ୍ତି ।
Powered by Froala Editor