ସାବଧାନ! ଦୈନିକ ୪ ଘଣ୍ଟାରୁ ଅଧିକ ସମୟ ଟିଭି ଦେଖୁଛନ୍ତି ?
ଦୈନିକ ୪ ଘଣ୍ଟାରୁ ଅଧିକ ସମୟ ଟିଭି ଦେଖୁଛନ୍ତି ? ତେବେ ସତର୍କ ହୁଅନ୍ତୁ । ଏଭଳି ଲୋକଙ୍କୁ ଘୁଙ୍ଗୁଡ଼ି ଆଶଙ୍କା ୭୮ ପ୍ରତିଶତ ଅଧିକ । ହାର୍ଭାର୍ଡ ମେଡିକାଲ ସ୍କୁଲର ଗବେଷକମାନେ ନିଜର ସଦ୍ୟତମ ଅଧ୍ୟୟନରେ ଏହା ସ୍ପଷ୍ଟ କରିଛନ୍ତି । ଗବେଷକମାନେ ୧୦ରୁ ୧୮ ବର୍ଷ ବୟସର ୧,୩୮,୦୦୦ ପିଲାଙ୍କ ଉପରେ ଅଧ୍ୟୟନ କରିଥିଲେ । ସେମାନଙ୍କ ସ୍ୱାସ୍ଥ୍ୟ କେମିତି ଏବଂ ସେମାନେ କେତେ ସକ୍ରିୟ ରହୁଛନ୍ତି, ତାହା ଉପରେ ନଜର ରଖାଗଲା ।
ଗବେଷଣାରୁ ଜଣାପଡ଼ିଲା, ଗୋଟିଏ ସ୍ଥାନରେ ବସିବା ଅଭ୍ୟାସ ଯୋଗୁ ଅବ୍ଷ୍ଟ୍ରକ୍ଟିଭ୍ ସ୍ଲିପ୍ ଆପ୍ନିୟା ହୋଇପାରେ । ଏହି କାରଣରୁ ଘୁଙ୍ଗୁଡ଼ି ଆଶଙ୍କା ୭୮ ପ୍ରତିଶତ ପର୍ୟ୍ୟନ୍ତ ବଢ଼ିପାରେ । ଯେଉଁମାନେ ଅଫିସ୍ରେ ଦିନସାରା ବସୁଛନ୍ତି, ସେମାନଙ୍କୁ ମଧ୍ୟ ଏହାର ଭରଣା କରିବା ପାଇଁ ଅଧିକ କସରତ କରିବା ଉଚିତ । ସ୍ଲିପ୍ ଆପ୍ନିୟା ଏଭଳି ଏକ ସ୍ଥିତି, ଏଥିରେ କୌଣସି ଗୋଟିଏ ଶ୍ୱାସ ନଳୀ ରାତିରେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ । ଫଳରେ ସାଧାରଣ ଭାବେ ଶ୍ୱାସକ୍ରିୟା କଷ୍ଟ ହୁଏ । ଏହି ସ୍ଥିତି ଘୁଙ୍ଗୁଡ଼ିରେ ରୂପାନ୍ତରିତ ହୋଇଯାଏ । ଯଦି ଠିକ୍ ସମୟରେ ଏହାର ଚିକିତ୍ସା ନ ହୁଏ, ତେବେ କର୍କଟ, ଉଚ୍ଚ ରକ୍ତଚାପ, ହୃଦ୍ରୋଗ, ଗ୍ଲୁକୋମା, ଷ୍ଟ୍ରୋକ୍ ଓ ଟାଇପ୍-୨ ମଧୁମେହ ଆଶଙ୍କା ବଢ଼ିଯାଏ ।
ବିଶେଷଜ୍ଞଙ୍କ ଅନୁସାରେ, ବିଶ୍ୱରେ ୩୦ରୁ ୬୯ ବର୍ଷ ବୟସର ୧୦୦ କୋଟି ଲୋକ ସ୍ଲିପ୍ ଆପ୍ନିୟା ରୋଗରେ ପୀଡ଼ିତ । ଗବେଷଣାରେ ସାମିଲ ପିଲାଙ୍କ ମଧ୍ୟରେ ଜଣେ ବି ଅବ୍ଷ୍ଟ୍ରକ୍ଟିଭ୍ ସ୍ଲିପ୍ ଆପ୍ନିୟା ରୋଗରେ ପୀଡ଼ିତ ନ ଥିଲେ । ଯେଉଁମାନେ ଟିଭି ସାମ୍ନାରେ ଦୈନିକ ଘଣ୍ଟା ଘଣ୍ଟା ଧରି ବସିରହୁଥିଲେ, ସେମାନଙ୍କ ମଧ୍ୟରେ ୮,୭୩୩ ପିଲାଙ୍କଠାରେ ସ୍ଲିପ୍ ଆପ୍ନିୟା ଚିହ୍ନଟ କରାଗଲା ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ଜଣେ ବ୍ୟକ୍ତି ପ୍ରତି ସପ୍ତାହ ୧୫୦ ମିନିଟ୍ର ଶାରୀରିକ କାର୍ୟ୍ୟ କରିବା ଉଚିତ । ଏଥିସହିତ ଟିଭି ଦେଖିବା ସମୟ ୪ ଘଣ୍ଟାରୁ କମାଇବା ଉଚିତ । ଏହା ଦ୍ୱାରା ଘୁଙ୍ଗୁଡ଼ି ଆଶଙ୍କା କମିବ । ଟିଭି ଦେଖିବାବେଳେ ଲୋକେ ସୁଗାର୍ ଡ୍ରିଙ୍କ ଓ ଜଳଖିଆ ଖାଇବାକୁ ପସନ୍ଦ କରନ୍ତି । ବସି ବସି ଏପରି କରିବା ଦ୍ୱାରା ଓଜନ ବଢ଼େ । ଏହା ଦ୍ୱାରା ଅବ୍ଷ୍ଟ୍ରକ୍ଟିଭ୍ ସ୍ଲିପ୍ ଆପ୍ନିୟା ଆଶଙ୍କା ମଧ୍ୟ ବଢ଼େ ।
Powered by Froala Editor