ବିବାହ ପାଇଁ ଭାରତ ଆସିଲେଣି ୧୫୦ ପାକିସ୍ତାନୀ କନ୍ୟା
ଅପରେଶନ ସିନ୍ଦୂର ପରେ ଏବେ ପ୍ରାୟ ୧୫୦ ପାକିସ୍ତାନୀ କନ୍ୟା ଭାରତରେ ପହଞ୍ଚି ବିବାହ କରିଛନ୍ତି । ପାକିସ୍ତାନୀ ବଧୂମାନେ ମସ୍କାଟ, କଲମ୍ବୋ, ଢାକା, ଦୁବାଇ ଓ କତାର ଭଳି ଦେଶ ଦେଇ କନେକ୍ଟିଂ ଫ୍ଲାଇଟ୍ରେ ଭାରତରେ ପହଞ୍ଚିଥିଲେ । ଏପ୍ରିଲରୁ ଜୁନ୍ ମଧ୍ୟରେ ପ୍ରାୟ ୪୫୦ ଜଣ ସମ୍ପର୍କୀୟଙ୍କ ସହ ସେମାନେ ଭାରତ ଆସିଥିବା ଜଣାପଡ଼ିଛି।
ଏହି ବିବାହଗୁଡ଼ିକୁ ସମ୍ଭବ କରିବାରେ ସିନ୍ଧର ଘୋଟକିସ୍ଥିତ ପ୍ରସିଦ୍ଧ ଶାଦାନୀ ଦରବାରର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବା କୁହାଯାଉଛି । ଦରବାରର ପୀଠାଧୀଶ ସନ୍ତ ଯୁଧିଷ୍ଠିର ଲାଲ ଶାଦାନୀ ଭାରତ ସରକାର ଓ ଗୃହ ମନ୍ତ୍ରଣାଳୟ ନିକଟରେ ଏହି ପରିବାର ଗୁଡ଼ିକର ସମସ୍ୟା ଉଠାଇଥିଲେ। ଏହା ପରେ ମାନବିକ ଆଧାରରେ ବିଶେଷ ଅନୁମତି ମିଳିଥିବାରୁ ଅଟକି ରହିଥିବା ଅନେକ ବିବାହ ସମ୍ପନ୍ନ ହୋଇପାରିଛି ।
ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ମାନବିକ ଆଧାରରେ କିଛି ପରିବାରକୁ ବିଶେଷ ଅନୁମତି ଦିଆଯାଇଥିବା କୁହାଯାଉଛି। ଏହା ପରେ ନାଗପୁର, ଯୋଧପୁର, ଅହମ୍ମଦାବାଦ, ରାୟପୁର, ପୁଣେ ଓ ଭୋପାଳ ଭଳି ସହରରେ ବିବାହ ସମ୍ପନ୍ନ ହୋଇଛି । ଦୀର୍ଘ ଅପେକ୍ଷାର ଏକ ଉଦାହରଣ ହେଉଛି ଇଙ୍କେଶ ଜଶନାନୀ ଓ ଆରତୀଙ୍କ କାହାଣୀ। ଅପରେଶନ ସିନ୍ଦୂର ପୂର୍ବରୁ ଦୁହିଁଙ୍କ ନିର୍ବନ୍ଧ ହୋଇଥିଲା। ମେ’ ୨୦୨୫ରେ ଆରତୀ ୱାଘା ବର୍ଡର ନିକଟରେ ଥିବା ବେଳେ ଅଟାରୀ ଗେଟ୍ ବନ୍ଦ ହୋଇଯାଇଥିଲା। ପ୍ରାୟ ଏକ ବର୍ଷ ପରେ ସେ ମସ୍କାଟ ଦେଇ ନାଗପୁରରେ ପହଞ୍ଚିଥିଲେ ଏବଂ ଶେଷରେ ଇଙ୍କେଶଙ୍କ ସହ ବିବାହ କରିଥିଲେ । ଭିସା କଟକଣା ଯୋଗୁଁ ଆରତୀଙ୍କ ମାତାପିତା ପାକିସ୍ତାନରେ ରହିଯାଇଥିଲେ। କେବଳ ତାଙ୍କ ଭାଇ ଭାରତ ଆସିପାରିଥିଲେ।
ନାଗପୁରର ସଞ୍ଜୟ କଲାନୀ ଓ ପାକିସ୍ତାନର ସିନ୍ଧର କାଜଲଙ୍କ ନିର୍ବନ୍ଧ ପ୍ରାୟ ୩ ବର୍ଷ ପୂର୍ବରୁ ହୋଇଥିଲା। ବର୍ଡର ବନ୍ଦ ହେବା ପରେ ଦୁହେଁ ବିବାହର ଆଶା ଛାଡ଼ି ଦେଇଥିଲେ। ତେବେ ପ୍ରାୟ ୫ ମାସ ପୂର୍ବରୁ କାଜଲ କରାଚିରୁ ମସ୍କାଟ ଏବଂ ପରେ ଦିଲ୍ଲୀ ଦେଇ ନାଗପୁରରେ ପହଞ୍ଚିଥିଲେ। ଏହା ପରେ ଦୁହିଁଙ୍କ ବିବାହ ସମ୍ଭବ ହୋଇଥିଲା।
Powered by Froala Editor