ଦେଶରେ ୮ ଲକ୍ଷ ୨୩ ହଜାର ୬୫୬ଟି ଅନୁମୋଦିତ ପଦ ଖାଲି
କେନ୍ଦ୍ର ସରକାରଙ୍କ ବିଭିନ୍ନ ସିଭିଲିଆନ୍ ପ୍ରତିଷ୍ଠାନରେ ୮ ଲକ୍ଷ ୨୩ ହଜାର ୬୫୬ଟି ଅନୁମୋଦିତ ପଦ ଖାଲି ପଡ଼ିଛି। ସରକାରୀ ତଥ୍ୟ ଅନୁସାରେ, ମୋଟ ୩୯ ଲକ୍ଷ ୨୩ ହଜାର ୨୧୨ଟି ପଦ ଅନୁମୋଦିତ ଥିବା ବେଳେ ୨୦୨୪ ମାର୍ଚ୍ଚ ୧ ତାରିଖ ସୁଦ୍ଧା ୩୦ ଲକ୍ଷ ୯୯ ହଜାର ୫୫୬ ଜଣ କର୍ମଚାରୀ କାର୍ଯ୍ୟରତ ଥିଲେ। ଅର୍ଥାତ୍ ଅନୁମୋଦିତ ପଦର ପ୍ରାୟ ୨୧ ପ୍ରତିଶତ ଖାଲି ରହିଛି। ଏହି ୮.୨୩ ଲକ୍ଷ ଖାଲି ପଦ କେବଳ ଏକ ସଂଖ୍ୟା ନୁହେଁ, ବରଂ ଦେଶର ରୋଜଗାର ଓ ପ୍ରଶାସନ ଉଭୟ ପାଇଁ ଏକ ବଡ଼ ପ୍ରଶ୍ନ ହୋଇ ଉଭା ହୋଇଛି।
ନୀମଚର RTI କର୍ମୀ ଚନ୍ଦ୍ରଶେଖର ଗୌରଙ୍କ ଆବେଦନର ଉତ୍ତରରେ ଏହି ତଥ୍ୟ ମିଳିଛି। ସରକାର ଅନୁମୋଦନ କରିଥିବା ପ୍ରତି ୫ଟି ପଦରୁ ପ୍ରାୟ ଗୋଟିଏ ପଦରେ କେହି କାମ କରୁନାହାନ୍ତି।
ଖାଲି ପଦର ସବୁଠୁ ବଡ଼ ଅଂଶ ରହିଛି ପ୍ରତିରକ୍ଷା ମନ୍ତ୍ରଣାଳୟର ସିଭିଲିଆନ୍ ପ୍ରତିଷ୍ଠାନ ଓ ରେଳବାଇରେ। ପ୍ରତିରକ୍ଷାରେ ୫ ଲକ୍ଷ ୫୬ ହଜାର ୨୪୮ଟି ପଦ ଅନୁମୋଦିତ ଥିବା ବେଳେ ୩ ଲକ୍ଷ ୧୪ ହଜାର ୫ ଜଣ କାର୍ଯ୍ୟରତ ଅଛନ୍ତି। ଫଳରେ ୨ ଲକ୍ଷ ୪୨ ହଜାର ୨୪୩ଟି ପଦ ଖାଲି। ଏହି ସଂଖ୍ୟା କେବଳ ପ୍ରତିରକ୍ଷା ବିଭାଗର ସିଭିଲିଆନ୍ କର୍ମଚାରୀଙ୍କ ପଦ ସମ୍ପର୍କିତ। ସେନା, ନୌସେନା କିମ୍ବା ବାୟୁସେନାର ଖାଲି ପଦ ଏଥିରେ ସାମିଲ ନୁହେଁ। ସେହିପରି ରେଳବାଇରେ ୧୪ ଲକ୍ଷ ୭୯ ହଜାର ୭୦୧ଟି ପଦ ଅନୁମୋଦିତ ଥିବା ବେଳେ ୧୨ ଲକ୍ଷ ୩୯ ହଜାର ୫୭୬ ଜଣ କାର୍ଯ୍ୟରତ। ଅର୍ଥାତ୍ ୨ ଲକ୍ଷ ୪୦ ହଜାର ୧୨୫ଟି ପଦ ଖାଲି।
ଦେଶର ସର୍ବୋଚ୍ଚ ପ୍ରଶାସନିକ କାର୍ଯ୍ୟାଳୟଗୁଡ଼ିକରେ ମଧ୍ୟ ପଦ ଖାଲି ରହିଛି। ରାଷ୍ଟ୍ରପତି ସଚିବାଳୟରେ ୮୦୩ଟି ଅନୁମୋଦିତ ପଦ ମଧ୍ୟରୁ ୫୧୬ ଜଣ କାର୍ଯ୍ୟରତ, ଫଳରେ ୨୮୭ଟି ପଦ ଖାଲି। ସେହିପରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୪୪୧ଟି ପଦ ମଧ୍ୟରୁ ୩୧୫ ଜଣ କାର୍ଯ୍ୟରତ, ଅର୍ଥାତ୍ ୧୨୬ଟି ପଦ ଖାଲି। ଶୀର୍ଷସ୍ତରରୁ ଆରମ୍ଭ କରି ରେଳବାଇ, ପ୍ରତିରକ୍ଷା, ଗୃହ, ରାଜସ୍ୱ, ଶିକ୍ଷା, ସ୍ୱାସ୍ଥ୍ୟ ଓ ବୈଜ୍ଞାନିକ ବିଭାଗ ପର୍ଯ୍ୟନ୍ତ ମାନବ ସମ୍ବଳର ବଡ଼ ଅଭାବ ରହିଛି। ଏହି ତଥ୍ୟରେ ସରକାରୀ ବ୍ୟାଙ୍କ ଓ PSUର ଖାଲି ପଦ ସାମିଲ ନାହିଁ।
Powered by Froala Editor