ବଟି ଦେଲେନି ବୋଲି ଦୋକାନୀକୁ ଖଣ୍ଡାରେ ଆକ୍ରମଣ
୫୦ ହଜାର ଟଙ୍କା ଦାଦାବଟି ନଦେବାରୁ ବ୍ରହ୍ମପୁରର ଜଣେ ଦୋକାନୀଙ୍କୁ ଦୁର୍ବୃତ୍ତ ପଶି ଖଣ୍ଡାରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ଦୁର୍ବୃର୍ତ୍ତମାନେ ସଂପୃକ୍ତ ଦୋକାନୀଙ୍କ ଘର ଭିତରେ ପଶି ତାଙ୍କୁ ଖଣ୍ଡାରେ ହାଣିବା ସହ ଦୋକାନ ଭିତରେ ଥିବା କମ୍ପ୍ୟୁଟର ଓ ପ୍ରିଣ୍ଟର ସହ ବିଭିନ୍ନ ସାମଗ୍ରୀକୁ ମଧ୍ୟ ଖଣ୍ଡାରେ ହାଣି ନଷ୍ଟ କରିଦେଇଛନ୍ତି। ଖବରପାଇ ବଡବଜାର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କ ଚିକିତ୍ସା କରାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ ବଡବଜାର ଥାନା ଅନ୍ତର୍ଗତ କୈଳାସନଗରରେ ରହୁଥିବା ଗୋପାଳକୃଷ୍ଣ ପଣ୍ଡା ନିଜ ଘର ଭିତରେ ହିଁ ଏକ ଛୋଟିଆ ଦୋକାନ କରିଛନ୍ତି। ୨ ଦିନ ତଳେ ସେହି ଅଞ୍ଚଳରେ ଜଣେ ଅପରାଧୀ ଗୋପାଳକୃଷ୍ଣଙ୍କୁ ଫୋନ କରି ୫୦ ହଜାର ଟଙ୍କା ଦାଦାବଟି ମାଗିଥିଲେ। ଆମେ ୪ ଜଣ ଫେରାର ଅଛୁ ତେଣୁ ୫୦ ହଜାର ନହେଲେ ୩୦ ହଜାର ଟଙ୍କା ଦେବାକୁ ଫୋନ କରିଥିବା ଅପରାଧୀମାନେ ଗୋପାଳକୃଷ୍ଣଙ୍କୁ କହିଥିଲେ। ଏତେ ଟଙ୍କା କେଉଁଠୁ ଆଣିବି ବୋଲି ଗୋପାଳକୃଷ୍ଣ ଉତ୍ତର ଦେବାରୁ ତୁମେ ଦୋକାନ କରିଛ ପୁଅ ଚାକିରି କରି ଆଉ ଟଙ୍କା ନାହିଁ କହୁଛ ବୋଲି ଅପରାଧୀ ଜଣଙ୍କ କହିଥିଲେ। ସେହିପରି ଯଦି ଏହି ଦାଦାବଟି ବିଷୟରେ କାହାକୁ କହିଲେ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଅପରାଧୀମାନେ ଚେତାବନୀ ଦେଇଥିଲେ। ଆଜି ସନ୍ଧ୍ୟାରେ ପୂର୍ବ ଧମକ ଅନୁସାରେ ଦୁଇଜଣ ଦୁର୍ବୃତ୍ତ ଖଣ୍ଡା ଧରି ଦୋକାନରେ ପ୍ରବେଶ କରି ଆତଙ୍କ ରାଜ କରିଥିଲେ।
ସିସିଟିଭିରେ ଏସବୁ ଭିଜୁଆଲ୍ କଏଦ୍ ହୋଇଛି। ଦୁଇଜଣ ଦୁର୍ବୃତ୍ତ ଖଣ୍ଡାରେ ଆକ୍ରମଣ କରୁଥିବା ଏଥିରେ ଦେଖାଯାଉଛି । ଏହି ଘଟଣା ପରେ ଦୋକାନୀ ମାଲିକ ଭୟଭୀତ ହୋଇପଡିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।
Powered by Froala Editor