ପ୍ରଖ୍ୟାତ କଣ୍ଠଶିଳ୍ପୀ ଜାନକୀ ଆମ୍ମାଙ୍କ ପରଲୋକ
୮୮ ବର୍ଷ ବୟସରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ.ଜାନକୀ ଓରଫ ଜାନକୀ ଆମ୍ମାଙ୍କର ପରଲୋକ ଘଟିଛି। କର୍ଣ୍ଣାଟକର ମୈସୂରୁସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମହାପ୍ରୟାଣ ଘଟିଛି। ସେ ଅନେକ ଦିନ ହେବ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ଚିକିତ୍ସିତ ହେଉଥିଲେ। ଓଡ଼ିଆ, ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲାୟାଲମ୍ ସମେତ ଅନେକ ଭାଷାରେ ହଜାର ହଜାର ସୁପରହିଟ୍ ଗୀତକୁ ତାଙ୍କ କଣ୍ଠରେ ବସାଇ ସେ ଅଗଣିତ ସ୍ରୋତାଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ତାଙ୍କ ବିୟୋଗ ସଙ୍ଗୀତ ଜଗତ ପାଇଁ ବିଶେଷ କରି ଓଲିଉଡ୍ ପାଇଁ ଏକ ବଡ଼ ଶୂନ୍ୟସ୍ଥାନ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସିଦ୍ଧ ପ୍ଲେବ୍ୟାକ ସିଙ୍ଗର ଏସ. ଜାନକୀ ଆମ୍ମାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି, ତାଙ୍କ ବିୟୋଗକୁ ସଙ୍ଗୀତ ଏବଂ ସଂସ୍କୃତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବର୍ଣ୍ଣନା କରିଛନ୍ତି। ରବିବାର (୧୨ ଜୁଲାଇ) ଦିନ X (ପୂର୍ବରୁ ଟୁଇଟର) ରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରସିଦ୍ଧ ପ୍ଲେବ୍ୟାକ ସିଙ୍ଗର ଏସ. ଜାନକୀ ଆମ୍ମାଙ୍କ ବିୟୋଗ ସଙ୍ଗୀତ ଏବଂ ସଂସ୍କୃତି କ୍ଷେତ୍ର ପାଇଁ ଏକ ଅପୂରଣୀୟ କ୍ଷତି।
ଜାନକୀ ଆମ୍ମାଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ମୋଦି ଉଲ୍ଲେଖ କରିଛନ୍ତି ଯେ ବିଭିନ୍ନ ଭାଷାରେ ଗାଇଥିବା ତାଙ୍କର ଗୀତ ପିଢ଼ି ପରେ ପିଢ଼ି ପର୍ଯ୍ୟନ୍ତ ଲୋକପ୍ରିୟ ରହିଛି। ସେ ପ୍ରତ୍ୟେକ ଭାବନାକୁ ଅତୁଳନୀୟ ସୌନ୍ଦର୍ଯ୍ୟ ଏବଂ ବହୁମୁଖୀତାର ସହିତ ତାଙ୍କର ସ୍ବର ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ତାଙ୍କର ସ୍ବର ଆଗାମୀ ସମୟ ପାଇଁ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରି ରହିବ। ଏହି ଦୁଃଖର ସମୟରେ ସେ ତାଙ୍କ ପରିବାର, ପ୍ରଶଂସକ ଏବଂ ସମଗ୍ର ସଙ୍ଗୀତ ଭାଇଚାରା ପ୍ରତି ଗଭୀର ସମବେଦନା ଜଣାଇଥିଲେ। ଓମ ଶାନ୍ତି।
ବିଭିନ୍ନ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁଯାୟ, ଏସ. ଜାନକୀ ୬୦ରୁ ଅଧିକ ଓଡ଼ିଆ ଗୀତ ଗାଇଛନ୍ତି। ବହୁ ସୁପରହିଟ୍ ସିନେମାରେ ତାଙ୍କ କଣ୍ଠସ୍ବରକୁ ନିଶ୍ଚୟ ଝୁରିବ ସାରା ଓଡ଼ିଶା। ସେ ୧୯୭୦ରେ ମୁକ୍ତିଲାଭ କରିଥିବା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ‘ବଳିଦାନ’ ସିନେମାର ‘ନେଇ ଯାରେ ମେଘ ମୋତେ’ ଗୀତ ହେଉ ବା ପଳାତକ ଚଳଚିତ୍ରର 'ମୋ ମନ ଉପବନ' ହେଉ, ଏହି ସବୁ ଚୀର ସବୁଜ ଗୀତର ଗାୟିକା ଆଜି ଆମ ଗହଣରେ ନାହାନ୍ତି।
Powered by Froala Editor