ଓମିକ୍ରନ ପାଇଁ ଦିଲ୍ଲୀରେ ଗାଇଡଲାଇନ ଜାରି : ନୂଆବର୍ଷରେ ଆୟୋଜନ ହେବନି ପାର୍ଟି

ଓମିକ୍ରନକୁ ନଜରରେ ରଖି ଦିଲ୍ଲୀ ସରକାର ରାଜ୍ୟରେ ବଡଦିନ ଓ ନୂଆବର୍ଷ ପାଳନ ନେଇ ଗାଇଡଲାଇନ ଜାରି କରିଛନ୍ତି । ଦିଲ୍ଲୀରେ ସମସ୍ତ ପ୍ରକାରର ସାମାଜିକ, ସାଂସ୍କୃତିକ, କ୍ରୀଡ଼ା, ଧାର୍ମିକ ଓ ସମାବେଶ ଉପରେ ରୋକ ଲଗାଯାଇଛି। ସେହିପରି ବାର ଓ ରେଷ୍ଟୁରାଣ୍ଟଗୁଡ଼ିକ ସିଟିଂ କ୍ଷମତାର ୫୦% ଲୋକଙ୍କୁ ନେଇ ସେବା ଯୋଗାଇ ପାରିବେ। ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏ ଏହି ନିୟମ ବଳବତ୍ତର ରହିବ ବୋଲି ଦିଲ୍ଲୀ ସରକାର କହିଛନ୍ତି। ଏହାର ଅର୍ଥ ଖ୍ରୀଷ୍ଟମାସ ଓ ନୂଆବର୍ଷ ଦିନ ଦିଲ୍ଲୀରେ କୌଣସି ପ୍ରକାରର ପାର୍ଟି ଆୟୋଜନ ହେବନି। ଏଥିସହ ଦିଲ୍ଲୀ ସରକାର ଜିଲ୍ଲା ମାଜିଷ୍ଟ୍ରେଟ ଓ ଜିଲ୍ଲା ବିପର୍ଯ୍ୟୟ ପ୍ରଶମନ ଅଥୋରିଟିକୁ କରୋନା ସଂକ୍ରମଣକୁ ରୋକିବାର ଗୁରୁଦାୟିତ୍ୱ ଦେଇଛନ୍ତି।
ଦିଲ୍ଲୀ ବିପଦ ପ୍ରବନ୍ଧନ ପ୍ରାଧୀକରଣର ନିର୍ଦ୍ଦେଶ ମୁତାବକ ନିଜ ନିଜ ଅଞ୍ଚଳରେ ଜିଲ୍ଲାପାଳମାନେ ସରକାରଙ୍କ ଗାଇଡଲାଇନ ପାଳନ କରିବେ । ଏହାସହ କାମ କରିବା ସ୍ଥାନ ଓ ଦୋକାନ ମାନଙ୍କରେ ମାସ୍କ ନାହିଁ ତ ପ୍ରବେଶ ନାହିଁ ସୂଚନାକୁ କଡାକଡି ପାଳନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନୂଆବର୍ଷ ଓ ବଡଦିନରେ କୌଣସି ସ୍ଥାନରେ ଯେଭଳି କୌଣସି କାର୍ଯ୍ୟକ୍ରମ ଅନୁଷ୍ଠିତ ନହୁଏ ସେ ନେଇ ଜିଲ୍ଲା ପ୍ରଶାସନ ଓ ଡିସିପିମାନଙ୍କୁ କଡା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୁପରସ୍ପ୍ରେଡର ପାଲଟିବାର ଆଶଙ୍କା ଥିବା ମାର୍କେଟ, ଅଞ୍ଚଳ ଓ ସର୍ବସାଧାରଣ ସ୍ଥାନଗୁଡ଼ିକର ଚିହ୍ନଟ କରିବେ। ସର୍ବସାଧାରଣ ସ୍ଥାନରେ ଯାଞ୍ଚ କରିବା ପାଇଁ ସମସ୍ତ ଡିଏମ ଓ ଡିସିପି ଆବଶ୍ୟକ ସଂଖ୍ୟକ ଫୋର୍ସ ମୁତୟନ କରିବେ। ସେମାନେ କଟକଣା ପାଳନ ପାଇଁ ଲୋକଙ୍କୁ ସତର୍କ କରାଇବେ।”
Powered by Froala Editor