ଭାରତ ଅଚାନକ ରୁଷରୁ ଅଶୋଧିତ ତୈଳ କ୍ରୟ ବନ୍ଦ କରିପାରିବ ନାହିଁ: ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ: ରୁଷ ଓ ଇରାନରୁ ତୈଳ କ୍ରୟ କରୁଥିବା ଦେଶଗୁଡ଼ିକ ଉପରେ ଶହେ ପ୍ରତିଶତ ଶୁଳ୍କ ଲଗାଇବାର ବ୍ୟବସ୍ଥା ଥିବା ଆଇନକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଞ୍ଜୁରୀ ଦେଇଛନ୍ତି। ଏହି ନୂଆ ଆଇନରେ ଭାରତ ସର୍ବାଧିକ ପ୍ରଭାବିତ ହୋଇପାରେ। ତେବେ ଆମେରିକା ଚାପ ଆଗରେ ନଇଁବୁ ନାହିଁ ବୋଲି ଭାରତ ବାର୍ତ୍ତା ଦେଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଭାରତ ଅଚାନକ ରୁଷରୁ ଅଶୋଧିତ ତୈଳ କ୍ରୟ ବନ୍ଦ କରିପାରିବ ନାହିଁ କିମ୍ବା ତୁରନ୍ତ ଅନ୍ୟ କାହାଠାରୁ ଏହା ଆଣିବ ନାହିଁ। ଦେଶର ୧୪୦ କୋଟି ଲୋକଙ୍କ ଶକ୍ତି ଆବଶ୍ୟକତା ଓ ଘରୋଇ ଶକ୍ତି ସୁରକ୍ଷାକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି। ଭାରତ ପାଇଁ ରାଷ୍ଟ୍ରହିତ ସର୍ବୋପରି। ବିଶ୍ବର ପ୍ରତ୍ୟେକ କୋଣରୁ ତୈଳ କିଣିବ, ଯେଉଁଠୁ ସହଜରେ ଓ ଉଚିତ ସର୍ତ୍ତରେ ଏହା ମିଳିବ। ‘ବିଜନେସଲାଇନ ଚେଞ୍ଜ ମେକର୍ସ ଆୱାର୍ଡସ’ କାର୍ଯ୍ୟକ୍ରମରେ ସାମିଲ ହୋଇ ନିର୍ମଳା ମଙ୍ଗଳବାର ଏହି ଟିପ୍ପଣୀ ଦେଇଥିଲେ।
Powered by Froala Editor