ଓଡ଼ିଶାରେ ତୃତୀୟ ଲହରୀ ସମ୍ଭାବନା ନିଶ୍ଚିତ
ଭୁବନେଶ୍ୱର: କୋଭିଡ-୧୯ର ନୂଆ ଭାରିଏଣ୍ଟ ଓମିକ୍ରନ ଏବେ ପ୍ରାୟ ୧୦୦ଟି ଦେଶରେ କାୟାବିସ୍ତାର କରୁଥିବାବେଳେ ଓଡ଼ିଶାରେ ଏଭଳି ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ବ୍ରିଟେନରେ ଯେଉଁ ଢଙ୍ଗରେ ଏହି ଓମିକ୍ରନ ସଂକ୍ରମଣ କରୁଛି, ଓଡ଼ିଶାରେ ତୃତୀୟ ଲହରୀ ସମ୍ଭାବନା ନିଶ୍ଚିତ ଲାଗୁଛି ବୋଲି ସେ ସତର୍କ କରାଇ ଦେଇଛନ୍ତି।
ଶ୍ରୀ ମିଶ୍ର କହିଛନ୍ତି ଯେ, ବ୍ରିଟେନର ସଂକ୍ରମଣକୁ ଦେଖିଲେ ତୃତୀୟ ଲହର ସମ୍ଭାବନା ନିଶ୍ଚିତ । ରିସ୍କ ଥିବା ଦେଶରୁ ଓଡ଼ିଶାକୁ ୧୫ଶହରୁ ଅଧିକ ଲୋକ ଆସି ସାରିଲେଣି । ତେବେ ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ତୃତୀୟ ଲହର ମୁକାବିଲା ଲାଗି ଆମେ ସମର୍ଥ । ଯେତେ ଆକ୍ରାନ୍ତ ଚିହ୍ନଟ ହେଲେ ବି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବୁ। ଓମିକ୍ରନ ଯୋଗୁ ଯେଉଁ ସ୍ଥିତି ଉପୁଜିବ ତାକୁ ସମ୍ଭାଳିବା ପାଇଁ ଓଡ଼ିଶା ସରକାର ସକ୍ଷମ ଅଛନ୍ତି। ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ସରକାର ପ୍ରସ୍ତୁତ ଅଛନ୍ତି । ଓମିକ୍ରନ ଚିହ୍ନଟ ପାଇଁ ଜିନମ ସ୍ୱିକ୍ୱେନ୍ସିଂର ଆବଶ୍ୟକତା ରହିଛି । ତେଣୁ ସିକ୍ୱେନ୍ସିଂ ପାଇଁ ଯାଇଥିବା ନମୁନା ସଂଖ୍ୟା ବୃଦ୍ଧି କରିବାକୁ କୁହାଯାଇଛି।
ସେହିପରି କଟକରେ ବିଦେଶରୁ ଫେରନ୍ତା ଜଣେ ବ୍ୟକ୍ତି ଓମିକ୍ରନର ସଂକ୍ରମିତ ହୋଇଥିବା ନେଇ ଚର୍ଚ୍ଚା ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ମିଶ୍ର କହିଛନ୍ତି ଯେ, ଏପର୍ୟ୍ୟନ୍ତ ଏହା କହିବା ଠିକ୍ ନୁହେଁ । କନଫର୍ମ ହୋଇନାହିଁ । ଏହି ଘଟଣାର ଅଧିକ ଯାଂଚ ନିମନ୍ତେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।
Powered by Froala Editor