୧୮ ନୁହେଁ, ୨୧ ବର୍ଷରେ ହେବ ଝିଅଙ୍କ ବାହାଘର

ଏଣିକି ୧୮ ନୁହେଁ ୨୧ରେ ହେବ ଝିଅଙ୍କ ବାହାଘର । ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ କନ୍ୟା ମାନଙ୍କର ଆଇନଗତ ବିବାହ ବୟସ ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି କରିବା ଲାଗି ଏହି ପ୍ରସ୍ତାବ ପାରିତ କରିଥିବା ନେଇ ସୂଚନା ମିଳିଛି।
ନୀତି ଆୟୋଗଦ୍ବାରା ଗଠିତ ‘ଟାସ୍କ୍ ଫୋର୍ସ’ ମାତୃତ୍ବର ଉଚିତ ବୟସ, ମାତୃ ମୃତ୍ୟୁହାର ହ୍ରାସର ଜରୁରୀ, ପୋଷକତତ୍ତ୍ବ ସ୍ତରରେ ଉନ୍ନତି ଏବଂ ସେଭଳି ସମସ୍ୟାଗୁଡ଼ିକୁ ପରୀକ୍ଷା କରିବା ପରେ କରିଥିବା ସୁପାରିସ ଭିତ୍ତିରେ ଏହି ପ୍ରସ୍ତାବ ଆଧାରିତ। ଉକ୍ତ ‘ଟାସ୍କ୍ ଫୋର୍ସ’ର ମୁଖ୍ୟ ହେଉଛନ୍ତି ଜୟା ଜେଟ୍ଲୀ। ଏଥିରେ ଶିଶୁରୋଗ ବିଶେଷଜ୍ଞ ଭି.କେ. ପଲ୍ଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା। ପ୍ରଥମ ଶିଶୁ ଜନ୍ମ କରିବା ପାଇଁ ଝିଅମାନଙ୍କର ସର୍ବନିମ୍ନ ବୟସ ୨୧ ବର୍ଷ ହେବା ଉଚିତ ବୋଲି ଟାସ୍କ୍ ଫୋର୍ସ କହିଥିଲା। ଏହାଛଡ଼ା, ବିବାହରେ ବିଳମ୍ବ ହେଲେ, ଆର୍ଥିକ, ପରିବାରର ସାମାଜିକ ଏବଂ ସ୍ବାସ୍ଥ୍ୟ, ମହିଳା, ଶିଶୁ ଏବଂ ସମାଜ ଉପରେ ସୁପ୍ରଭାବ ପଡ଼ିବ ବୋଲି ମଧ୍ୟ ଟାସ୍କ୍ ଫୋର୍ସ କହିଥିଲା। ଏହି ଟାସ୍କ ଫୋର୍ସ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ରିପୋର୍ଟ ଆଧାରରେ ପ୍ରସ୍ତୁତ କରାଯାଇଥିବା ଏକ ପ୍ରସ୍ତାବ ଉପରେ ମୋହର ମାରିଛି କେନ୍ଦ୍ର କ୍ୟାବିନେଟ ।
ବିବାହ ପାଇଁ ନ୍ୟୂନତମ ବୟସ ୨୧ ବର୍ଷକୁ ବୃଦ୍ଧି କରିବାକୁ କେନ୍ଦ୍ର କ୍ୟାବିନେଟ ମୋହର ମାରିଛି । କ୍ୟାବିନେଟ ଏ ସଂକ୍ରାନ୍ତୀୟ ଏକ ପ୍ରସ୍ତାବରେ ମୋହର ମାରିଥିବା ବେଳେ ଚଳିତ ଶୀତ ଅଧିବେଶନରେ ସଂସଦରେ ବିଲ୍ ଗୃହୀତ ହୋଇପାରେ । ପୁଅଙ୍କ ବିବାହ ବୟସ ୨୧ ଥିବା ବେଳେ ଝିଅଙ୍କ ବାହାଘର ବୟସ ୧୮ ଥିବାରୁ ଏଥିରେ ପରିବର୍ତ୍ତନ ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।
Powered by Froala Editor