ପୁଲିସ ଗାଡ଼ି ଜାଳିବାକୁ ଉଦ୍ୟମ କରିଥିଲେ କଂଗ୍ରେସ କର୍ମୀ: ଡିସିପି
ଭୁବନେଶ୍ୱର: ସବୁ ସୀମା ଟପିଗଲା ପୁଲିସ । ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଲା ପୁଲିସ । ଏକ ଜାତୀୟ ଦଳର କାର୍ଯ୍ୟାଳୟରେ ପଶି କର୍ମୀଙ୍କୁ ପିଟିଲା ପୁଲିସ । ଭୁବନେଶ୍ୱରସ୍ଥ କଂଗ୍ରେସ ଭବନ ଭିତରେ ପଶି ପୁଲିସ କର୍ମୀଙ୍କୁ ପିଟିଛି । ଛାତ୍ର କଂଗ୍ରେସ କର୍ମୀଙ୍କୁ ଅଫିସ ଭିତରେ ପଶି ପୁଲିସ ପିଟିଥିବା ଜଣାଯାଇଛି ।
ତେବେ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୁଲିସର ମାଡ଼ ନେଇ ଭୁବନେଶ୍ୱର ଡିସିପି ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଁ ସେଠି ନଥିଲି, ମାଡ଼ ହେବା ଜାଣିନି । ତେବେ କିଛି କଂଗ୍ରେସ କର୍ମୀ ପୁଲିସ ଗାଡ଼ି ଜାଳିବାକୁ ଚେଷ୍ଟା କରିଥିଲେ । ଅଗ୍ନିଶମ କର୍ମଚାରୀଙ୍କ ତ୍ୱରିତ ଉଦ୍ୟମ ଯୋଗୁ ଜାଳିପାରିନଥିଲେ ବୋଲି ଡିସିପି କହିଛନ୍ତି ।
ପ୍ରକାଶ ଯେ, ମମିତା ମେହେର ହତ୍ୟା ମାମଲାକୁ ନେଇ ଛାତ୍ର କଂଗ୍ରେସ ଆଜି ହଲ୍ଲବୋଲ ଆନେ୍ଦାଳନ କରିଥିଲା । ଆଜି ଛାତ୍ର କଂଗ୍ରେସ କର୍ମୀ ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ସୁରକ୍ଷା ବଳୟ ଟପି ଛାତ୍ର କଂଗ୍ରେସ କର୍ମୀ ବିଧାନସଭା ମୁଖ୍ୟ ଫାଟକ ଯାଏ ଚାଲିଯାଇଥିଲେ । ଏହି ସମୟରେ ପୁଲିସ ସହ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । କିଛି କର୍ମୀଙ୍କୁ ପୁଲିସ ମଧ୍ୟ ଗିରଫ କରିଥିଲା । ଏହି ସମୟରେ ଛାତ୍ର କଂଗ୍ରେସ କର୍ମୀ ପୁଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ । ଯାହା ଫଳରେ ପୁଲିସ ଛାତ୍ର କଂଗେସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିବା ଜଣାଯାଇଛି । ଏଥିରେ କିଛି କର୍ମୀଙ୍କ ମୁଣ୍ଡ ଫାଟିଥିବା ଜଣାଯାଇଛି । ତେବେ ମାଡ଼କୁ ଡରି କିଛି କର୍ମୀ କଂଗ୍ରେସ ଭବନରେ ପଶିଯାଇଥିଲେ । ସେଠାକୁ ପୁଲିସ ଯାଇ କର୍ମୀଙ୍କୁ ମାଡ଼ ମାରିଥିବା ଜଣାଯାଇଛି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶରେ ପୁଲିସ ପିଟିଥିବା କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ।
ଅନ୍ୟପକ୍ଷରେ ପୁଲିସର ଏଭଳି କାର୍ଯ୍ୟାନୁଷ୍ଠାନ ବିରୋଧରେ ଧାରଣାରେ ବସିଲା ଛାତ୍ର କଂଗ୍ରେସ । ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ଛାତ୍ର କଂଗ୍ରେସ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକରେ ଧାରଣା ଦିଆଯାଇଛି । କଂଗ୍ରେସ କର୍ମୀଙ୍କୁ ମାଡ଼ ମାରିଥିବା ପୁଲିସ ଗିରଫ ନହେବା ଯାଏ ଏହି ଧାରଣା ଜାରି ରହିବ ବୋଲି ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଆନେ୍ଦାଳନ ଆହୁରି ତୀବ୍ର ହେବ ବୋଲି ଛାତ୍ର କଂଗ୍ରେସ ସଭାପତି ଚେତାବନୀ ଦେଇଛନ୍ତି ।
Powered by Froala Editor