ସର୍ବଦଳୀୟ ବୈଠକ ବିଫଳ, ୪ଟା ଯାଏ ଗୃହ ମୁଲତବୀ
ଭୁବନେଶ୍ବର: ବିଧାନସଭା ଶୀତ ଅଧିବେଶନର ନବମ ଦିନରେ ମଧ୍ୟ ଗୃହ ଅଚଳ । ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ଦିନ ସାଢେ ୧୧ ଟା ପର୍ୟ୍ୟନ୍ତ ମୁଲତବୀ ପରେ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର । ମାତ୍ର ସର୍ବଦଳୀୟ ବୈଠକ ମଧ୍ୟ ବିଫଳ ହୋଇଯାଇଛି ।ତେବେ କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା ନେଇ ଶୀତ ଅଧିବେଶନ ଆରମ୍ଭର ପ୍ରଥମ ଦିନରୁ ରଣକ୍ଷେତ୍ର ପାଲଟିଛି ଗୃହ । ପ୍ରତିଦିନ ଗୃହରେ ଘଣ୍ଟ ବାଡେଇବା ସହ ଗଙ୍ଗାଜଳ ସିଞ୍ଚନ କରୁଛନ୍ତି ବିରୋଧି । ଆଜି ମଧ୍ୟ ବାଚସ୍ପତିଙ୍କ ପୋଡିଅମ ଆଗକୁ ଆସି ଘଣ୍ଟା ବାଡେଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଗିରଫ ଦାବି କରିଥିଲେ ବିରୋଧୀ। 'ମମିତା ହତ୍ୟାକାରୀ ମନ୍ତ୍ରୀ ଦିବ୍ୟ ଶଙ୍କରଙ୍କୁ ଗିରଫ' ଲେଖା ଯାଇଥିବା ପ୍ଲା-କାର୍ଡ ଧରି ପ୍ରବଳ ହଟ୍ଟଗୋଳ କରିଥିବା ଦେଖିବାକୁ ମିଳିଛି । ଫଳରେ ଦିନ ସାଢେ ୧୧ଟା ପର୍ୟ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ମାତ୍ର ସାଢେ ୧୧ ରେ ମଧ୍ୟ ଚାଲିପାରିନି ଗୃହ । ସର୍ବଦଳୀୟ ବୈଠକ ଡାକି ଦିନ ୧୨ ଟା ପର୍ୟ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।ହେଲେ ସର୍ବଦଳୀୟ ବୈଠକରେ ଗୃହ ଚାଲିବା ନେଇ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ପାଇଁ ବିରୋଧୀ ଅଡି ବସି ରହିଥିବାବେଳେ ଗୃହକୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।
Powered by Froala Editor