ଓମ୍ରିକନ୍ ଯୋଗୁଁ ଜାନୁଆରି ୩୧ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳ ବାତିଲ
ବିଶ୍ବର ୫୭ଟି ଦେଶକୁ ‘ଓମିକ୍ରନ୍ ଭେରିଏଣ୍ଟ୍’ ବ୍ୟାପି ଗଲାଣି । ଏନେଇ ସାମ୍ବାଦିକ ସମ୍ମିଳନୀରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମହାନିର୍ଦେଶକ ଟେଡ୍ରସ୍ ଆଧାନମ୍ ଗେବ୍ରେୟେସସ୍ ସତର୍କ କରାଇଛନ୍ତି । ଏପଟେ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଡିସେମ୍ବର ୧୫ରୁ ଆରମ୍ଭ ହେବାକୁ ଥିବା ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ ଲଗାଇ ଦିଆଯାଇଛି। ଏହି କଟକଣା ଜାନୁଆରୀ ୩୧ ଯାଏ ବଳବତ୍ତର ରହିବ। ତେବେ ବାୟୋବବଲ୍ସ ଚୁକ୍ତି ଅନୁସାରେ ବର୍ତ୍ତମାନ ଯେଉଁଭଳି ବିଦେଶକୁ ବିମାନ ଉଡ଼ାଣ କରୁଛି ଓ ସେଠାରୁ ଆସୁଛି, ତାହା ଜାରି ରହିବ।
ଜାନୁଆରୀ ୩୧ ଯାଏ ଅନ୍ତର୍ଜାତୀୟ ବିମାନ ଉପରେ ଲାଗୁ ହେଉଥିବା କଟକଣା ସମ୍ପର୍କରେ ଡିଜିସିଏ କହିଛି ଯେ କାର୍ଗୋ ଓ ସ୍ୱତନ୍ତ୍ର ଅନୁମତି ପ୍ରାପ୍ତ ବିମାନ ଉପରେ ଏହି କଟକଣା ଲାଗୁ ହେବନାହିଁ। ସେହିପରି ସ୍ଥିତିକୁ ସମୀକ୍ଷା କରି କିଛି ନିର୍ଦ୍ଦିଷ୍ଟ ରୁଟ୍ରେ ଅନ୍ତର୍ଜାତୀୟ ବିମାନ ସେବାକୁ ଅନୁମତି ଦିଆଯିବ ବୋଲି ଡିଜିସିଏ କହିଛି।
କରୋନା ମହାମାରୀ ହେତୁ ଗତ ବର୍ଷ ମାର୍ଚ୍ଚ ୨୩ରେ ଦେଶରେ ନିୟମିତ ଆନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ହୋଇଯାଇଥିଲା। ଗତ ମାସରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଡିସେମ୍ବର ୧୫ ରୁ ଆନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ କରିବାକୁ ଘୋଷଣା କରିଥିଲା। ଦେଶରେ କରୋନା ମାମଲା ହ୍ରାସ ହେତୁ ସରକାର ଡିସେମ୍ବର ୧୫ ରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ କରୋନା ଓମିକ୍ରନର ନୂତନ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଘୋଷଣାକୁ ଫେରାଇ ନିଆଯାଇଛି।
Powered by Froala Editor