ଖବରକାଗଜ ବିତରକଙ୍କ ପାଇଁ ଖୁସି ଖବର, ଜାଣନ୍ତୁ କ’ଣ

ଭୁବନେଶ୍ୱର: ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅନୁରୂପ ଖବରକାଗଜ ବିତରକ କଲ୍ୟାଣ ବୋର୍ଡ ଗଠନ କରାଯିବ । କେବଳ ସେତିକି ନୁହେଁ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସେମାନଙ୍କ ପରିବାରକୁ ମାଗଣା ସ୍ୱାସ୍ଥ୍ୟ ସେବା, ଆବାସ ଯୋଜନାରେ ବାସଗୃହ ଯୋଗାଇ ଦିଆଯିବ । ସୋମବାର ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଖବରକାଗଜ ବିତରକମାନେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ ଭେଟି ଆଲୋଚନା କରିବା ପରେ ସେମାନଙ୍କୁ ଏଭଳି ପ୍ରତିଶ୍ରୁତି ମିଳିଛି । ଏହା ସହିତ ସବୁ ଜିଲ୍ଲା ଓ ରାଜଧାନୀରେ କାର୍ଯ୍ୟାଳୟ ନିମନ୍ତେ ଜମି, ଖବରକାଗଜ ମଣ୍ଡିରେ ସେଡ଼ ନିର୍ମାଣ ସହ କୋଭିଡ଼ରେ ମୃତୁ୍ୟବରଣ କରିଥିବା ବିତରକଙ୍କ ପରିବାରକୁ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ । ଦିନେ ଦୁଇଦିନ ମଧ୍ୟରେ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସେମାନଙ୍କୁ କୁହାଯାଇଛି । ସୋମବାର ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଖବରକାଗଜ ବିତରକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ନିମନ୍ତେ ଭୁବନେଶ୍ୱର ଆସିବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ୫-ଟି ସଚିବ ଭି.କେ.ପାଣ୍ଡିଆନ ସେମାନଙ୍କ ସହ ଆଲୋଚନା କରିଥିଲେ ।
ବିତରକମାନଙ୍କ ପକ୍ଷରୁ ରାଜ୍ୟ ହକର ସଂଘର ରାଜ୍ୟ ଉପସଭାପତି ସତ୍ୟ ମହାନ୍ତି ଦାବି ଉପସ୍ଥାପନ କରିଥିଲେ । ୫-ଟି ସଚିବ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ବିତରକମାନଙ୍କ ପ୍ରତି ସରକାରଙ୍କ ସହାନୁଭୂତି ରହିଛି ବୋଲି କହିଥିଲେ । ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଡି ଏସ୍ କୁଟ୍ଟେ ଓ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଉପସ୍ଥିତ ଥିଲେ । ଆଲୋଚନା ପରେ ଶ୍ରୀ ମହାନ୍ତି ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।
Powered by Froala Editor