ମାଡିଆସିଲାଣି ବର୍ଷା, ହେବକି ବାତ୍ୟା?
ଭୁବନେଶ୍ୱର : ଆସନ୍ତା ୩୦ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଡିସେମ୍ବର ୨ରୁ ୪ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ଲଘୁଚାପ ବାତ୍ୟାର ରୂପ ନେବ ନା ଗଭୀର ଅବପାତରେ ସୀମିତ ରହିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହେଉନଥିବାରୁ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି । ଭାରତୀୟ ପାଣିପାଗ କେନ୍ଦ୍ରର ବର୍ତ୍ତମାନ ସୁଦ୍ଧା ଆକଳନ ଅନୁଯାୟୀ, ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହେବ ବୋଲି ଏବେ ସୁଦ୍ଧା ପ୍ରାୟ ସ୍ପଷ୍ଟ ହେଲାଣି । ଏହା ବାତ୍ୟାର ରୂପ ନେବ କି ନାହିଁ ତାହା ସ୍ପଷ୍ଟ ହୋଇନି । ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ଏହି ଲଘୁଚାପକ୍ଷେତ୍ର ସାଇକ୍ଲୋନିକ ଡିଷ୍ଟର୍ବାନ୍ସରେ ପରିଣତ ହେବା ନେଇ ୩୩ରୁ ୬୭% ପର୍ଯ୍ୟନ୍ତ ସଙ୍କେତ ରହିଛି । ଏହା ଯଦି ବାତ୍ୟାର ରୂପ ନିଏ, ତେବେ କେଉଁ ଅଞ୍ଚଳ ଦେଇ ଅତିକ୍ରମ କରିବ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ ।
ଶ୍ରୀ ମହାପାତ୍ରଙ୍କ ସୂଚନା ଅନୁଯୀ, ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଧୀରେଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ୨ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପହଞ୍ଚିବ । ଏହା ପ୍ରଭାବରେ ଆସନ୍ତା ୨ରୁ ବଙ୍ଗୋପସାଗର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଲଘୁଚାପ ସୃଷ୍ଟି ହେବା ପରେ ହିଁ ଏହାର ପ୍ରଭାବ କ’ଣ ରହିବ, ତାହା ଜଣାପଡ଼ିବ । ଏହାର ତ୍ରୀବତା ଓ ଗତିପଥ ବାବଦରେ ଏବେଠୁ ପୂର୍ବାନୁମାନ କରିହେଉନି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ଏହା କେଉଁ ଦିଗକୁ ଗତି କରିବ ଓ ଏହାର କ’ଣ ପ୍ରଭାବ ରହିବ, ସେ ବାବଦରେ ସ୍ପଷ୍ଟ କହିହେବ । ତେବେ ଆସନ୍ତା ୪ତାରିଖ ବେଳକୁ ଏହା ଘନୀଭୂତ ହୋଇ ଉପକୂଳମୁହାଁ ହୋଇପାରେ । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ବିଶେଷକରି ସମ୍ପୂର୍ଣ୍ଣ ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
Powered by Froala Editor