ରୂପା ଛାଉଣୀରେ ଚମକିବ ଶ୍ରୀମନ୍ଦିର ବେଢା ସୂର୍ୟ୍ୟ ମନ୍ଦିରର ମୁଖ୍ୟଦ୍ବାର
ପୁରୀ: ରୂପା ଛାଉଣୀରେ ଝଲସିବ ଶ୍ରୀମନ୍ଦିର ବେଢାରେ ଥିବା ସୂର୍ୟ୍ୟ ମନ୍ଦିରର ମୁଖ୍ୟ ଦ୍ବାର । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି । କୋଲକାତାର ଜଣେ ଦାତା ସୂର୍ୟ୍ୟ ମନ୍ଦିର ମୁଖ୍ୟଦ୍ବାରର ରୂପା ଛାଉଣୀ ପାଇଁ ଆବଶ୍ୟକୀୟ ରୂପା ଦାନ କରିବେ । ସୂର୍ୟ୍ୟ ମନ୍ଦିରର ମୁଖ୍ୟଦ୍ବାର ରୂପା ଛାଉଣୀର ଡିଜାଇନ୍ ଏବଂ ନିର୍ମାଣ ଦାୟିତ୍ବ ଏକ ପ୍ରତିଷ୍ଠିତ ଜୁଏଲାରୀ ସଂସ୍ଥାକୁ ଦିଆଯାଇଛି । ରୂପା ଛାଉଣୀ ପାଇଁ ୧୧୫ କେଜି ରୂପା ଲାଗିବ ବୋଲି ପ୍ରାଥମିକ ଭାବେ ଆକଳନ କରାଯାଇଛି ।
ତେବେ ଏଥିପାଇଁ ପ୍ରାୟ ଏକ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ କହିଛନ୍ତି । ସେପଟେ ପୂର୍ବରୁ ଶ୍ରୀମନ୍ଦିର ଭିତରେ ଥିବା ୮ଟି ଦ୍ବାରର ରୂପା ଛାଉଣୀ ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୭ଟି ଦ୍ବାରକୁ ରୂପା ଛାଉଣୀ କରାଯାଇଛି । ୨୦୨୧ ରଥଯାତ୍ରା ସମୟରେ କେବଳ କଳାହାଟ ଦ୍ବାରକୁ ଛାଡି ବେହରଣ ଦ୍ଵାର, ଜୟବିଜୟ ଦ୍ଵାର, ସାତପାହାଚ ଦ୍ବାର, ଭୋଗମଣ୍ଡପ ଦ୍ଵାର, ଲକ୍ଷ୍ମୀ ମନ୍ଦିର, ଆଦିନୃସିଂହ ଓ ବିମଳା ମନ୍ଦିର ଦ୍ବାରର ରୂପାଛାଉଣୀ କରାଯାଇଥିଲା । ଏଥିରେ ପ୍ରାୟ ଅଢେଇ ଟନ୍ ରୂପା ଲାଗିଥିଲା ।ଏଥିପାଇଁ ମୁମ୍ବାଇର ଜଣେ ଦାତା ଆବଶ୍ୟକ କାଠ ଓ ରୂପା ଦାନ କରିଥିଲେ । ତେବେ ଆସନ୍ତା ରଥଯାତ୍ରା ସମୟରେ କଳାହାଟ ଦ୍ଵାରର ରୂପା ଛାଉଣୀ କରାଯିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିବା ବେଳେ ଏଥିପାଇଁ ୫୦୦ କେଜି ରୂପା ଚାଦର ଜିଲ୍ଲା କୋଷାଗାରରେ ସୁରକ୍ଷିତ ଭାବେ ରଖାଯାଇଛି ।
Powered by Froala Editor