ଅନୁଭବ ବାପାଙ୍କ ପଦନ୍ନୋତି ବାତିଲ କଲେ ଉଚ୍ଚଶିକ୍ଷା ବିଭାଗ
ଭୁବନେଶ୍ବର: ସାଂସଦ ଅନୁଭବ ମହାନ୍ତିଙ୍କ ପରେ ଅଡୁଆରେ ପଡିିଛନ୍ତି ତାଙ୍କ ବାପା ଅଭୟ କୁମାର ମହାନ୍ତି । ମିଛ ଯୋଗ୍ୟତା ପ୍ରମାଣପତ୍ର ଅଭିଯୋଗରେ ଅନୁଭବଙ୍କ ବାପା ତଥା ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକ ଅଭୟ କୁମାର ମହାନ୍ତିଙ୍କ ପଦୋନ୍ନତି ବାତିଲ କରିଛନ୍ତି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ।
ଖବର ଅନୁଯାୟୀ ଅନୁଭବଙ୍କ ବାପା ଜାଲ୍ ରିଫ୍ରେସର କୋର୍ସ ସାର୍ଟିଫିକେଟ ଦାଖଲ କରିଥିବା ଅଭିଯୋଗ ହୋଇଥିଲା । ଏହାର ତଦନ୍ତ କରି ଉଚ୍ଚଶିକ୍ଷା ବିଭାଗ ସତ୍ୟ ଉନ୍ମୋଚନ କରିବା ସହ ଅଭୟଙ୍କ ପଦୋନ୍ନତିକୁ ବାତିଲ କରିଛନ୍ତି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ, ଅଭୟ ମହାନ୍ତି ଇଂରାଜୀ ଅଧ୍ୟାପକ ଭାବେ ଚାକିରିରୁ ଅବସର ନେଇଥିଲେ । ଏହା ପରେ ସେ ରିଡର୍ ଭାବେ ଜାନୁଆର ୨, ୧୯୯୭ ରେ କଟକ ଜିଲ୍ଲା କନ୍ଦରପୁର କଲେଜରେ ଅବସ୍ଥାପିତ ହୋଇଥିଲେ । ଏଥିପାଇଁ ରିଡରମାନଙ୍କ ପାଇଁ ଧାର୍ୟ୍ୟ ପେ ସ୍କେଲ୍ ଦରମା ମଧ୍ୟ ତାଙ୍କୁ ଦିଆଯାଉଥିଲା ।ମାତ୍ର ପରବର୍ତ୍ତୀ ସମୟରେ ତାଙ୍କ ନାମରେ ଜାଲ୍ ରିଫ୍ରେସର କୋର୍ସ ପ୍ରମାଣପତ୍ର ଦାଖଲ ହୋଇଥିବା ନେଇ ଅଭିଯୋଗ ଆସିଥିଲା । ଏହାର ତଦନ୍ତ କରାଯାଇ ଚଳିତ ବର୍ଷ ଜୁନ୍ ୩ ତାରିଖରେ ଅଭୟଙ୍କ ଅତିରିକ୍ତ ପେନସନ୍ ସମ୍ପର୍କିତ ସମସ୍ତ ସୁବିଧା ସୁଯୋଗକୁ ସ୍ଥଗିତ ରଖିଥିଲେ ରାଜ୍ୟ ସରକାର । ଏବେ ପୁଣି ଚଳିତ ମାସ ୨୪ ରେ ତାଙ୍କ ପଦୋନ୍ନତି ବାତିଲ୍ କରାଯାଇଥିବା ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ସୂଚନା ଦେଇଛନ୍ତି ।ଏଥିସହ ଅଭୟଙ୍କ ଉପରେ ନିଆଯାଇଥିବା କାର୍ୟ୍ୟାନୁଷ୍ଠାନ ବାବଦରେ ସମସ୍ତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଅବଗତ କରାଇ କାର୍ୟ୍ୟରତ ଥିବା କନ୍ଦରପୁର ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଏ ବାବଦରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।
Powered by Froala Editor