ଭୟଙ୍କର ପ୍ରଦୂଷଣରେ ଦିଲ୍ଲୀ : ଏବେ ଖୋଲିବନି ସ୍କୁଲ କଲେଜ, ବନ୍ଦ ହେଲା ତାପଜ ଶକ୍ତି କେନ୍ଦ୍ର
ଭୟଙ୍କର ବିଷ ବଳୟ ଘେରରେ ରହିଛି ଦିଲ୍ଲୀ । ତେଣୁ ବିଭିନ୍ନ ରାଜ୍ୟ ସହ ବୈଠକ ପରେ କମିଶନ ଫର ଏୟାର କ୍ୱାଲିଟି ମନିଟରିଂ (CAQM) ନୂଆ ନିର୍ଦ୍ଦେଶନାମା ଜାରି କରିଛି । ଏହା ଅନୁଯାୟୀ, ଦିଲ୍ଲୀ-ଏନସିଆରରେ ସବୁ ସ୍କୁଲ, କଲେଜ ଓ ଶିକ୍ଷା ସଂସ୍ଥାନକୁ ପୁନଃ ଆଦେଶ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ଏହାବାଦ ଅଫିସ, କନଷ୍ଟ୍ରକସନ୍ ଓ ଟ୍ରକ୍ ଏଣ୍ଟ୍ରି ଉପରେ ମଧ୍ୟ ରୋକ ଲାଗିଛି । ଯାନବାହନରୁ ପ୍ରଦୂଷଣ ବଢ଼ୁଥିବାରୁ ଦିଲ୍ଲୀକୁ ପ୍ରବେଶ କରୁଥିବା ସମସ୍ତ ଟ୍ରକ୍ର ପ୍ରବେଶ ଉପରେ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରୋକ ଲଗାଇ ଦିଆଯାଇଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ନେଉଥିବା ଟ୍ରକ୍କୁ ହିଁ ଅନୁମତି ମିଳିଛି।
ଏଥିସହିତ ଦିଲ୍ଲୀର ୩୦୦ କିଲୋମିଟର ପରିଧି ମଧ୍ୟରେ ରହିଥିବା ୧୧ଟି ତାପଜ ଶକ୍ତି କେନ୍ଦ୍ର ମଧ୍ୟରୁ ୫ଟି ନଭେମ୍ବର ୩୦ ପର୍ଯ୍ୟନ୍ତ କାର୍ଯ୍ୟ କରିବ । ଏଥିସହିତ ନଭେମ୍ବର ୨୧ ପର୍ଯ୍ୟନ୍ତ ସମସ୍ତ ନିର୍ମାଣ ଓ ଭାଙ୍ଗିବା କାର୍ଯ୍ୟ ଉପରେ କଟକଣା ଲାଗୁ କରାଯାଇଛି । କେବଳ ଜାତୀୟ ଗୁରୁତ୍ୱ ସମ୍ବଳିତ ପ୍ରକଳ୍ପ, ଜାତୀୟ ନିରାପତ୍ତା ସମ୍ପର୍କିତ କାର୍ଯ୍ୟ, ପ୍ରତିରକ୍ଷା ସମ୍ପର୍କିତ କାର୍ଯ୍ୟକଳାପ, ରେଳବାଇ, ମେଟ୍ରୋ ରେଲ, ବିମାନବନ୍ଦର ଏବଂ ଆଇଏସବିସିକୁ କଟକଣାରୁ ମୁକ୍ତ ରଖାଯାଇଛି ।
ସୂଚନାଯୋଗ୍ୟ ଯେ, ବୁଧବାର ସକାଳେ ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ତର ଅତ୍ୟନ୍ତ ଖରାପ ବର୍ଗରେ ରହିଥିଲା । ଏହାର ବାୟୁ ମାନକ ସ୍ତର (ଏକ୍ୟୁଆଇ) ହାରାହାରି ୩୭୯ ରହିଥିବା ଜଣାଯାଇଛି । ଚାନ୍ଦନି ଚୌକ ଅଞ୍ଚଳରେ ଏକ୍ୟୁଆଇ ୩୬୭ ରେକର୍ଡ କରାଯାଇଥିବାବେଳେ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର ଅଞ୍ଚଳରେ ଏହା ୩୬୨, ଦିଲଶାଦ ଗାର୍ଡନରେ ୩୫୩, ମଥୁରା ରୋଡରେ ୩୯୬, ନଜଫଗଡ ୩୪୯, ଆଇଟିଓ ୩୯୩, ଶିରିଫୋର୍ଟରେ ୩୬୮ ରେକର୍ଡ ହୋଇଛି । ଏହି ସମସ୍ତ ସ୍ଥାନରେ ବାୟୁର ମାନ ଅତ୍ୟନ୍ତ ଖରାପ ସ୍ଥିତିରେ ରହିଥିଲା । ଅନ୍ୟପକ୍ଷରେ ଆନନ୍ଦ ବିହାରରେ ଏକ୍ୟୁଆଇ ୪୩୨, ବାୱନା ୪୧୬, ଜାହାଙ୍ଗିରପୁରୀ ୪୫୪, ମୁଣ୍ଡକା ୪୧୯, ରୋହିଣୀ ୪୩୨, ଶାଦିପୁର ୪୩୮, ପଞ୍ଜାବି ବାଗ୍ ୪୧୩ ଓ ୱଜିପୁରରେ ଏହା ୪୩୬କୁ ଖସିଯାଇ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି ।
Powered by Froala Editor