ସାଂଘାତିକ ସ୍ଥିତିରେ ଦିଲ୍ଲୀର ବାୟୁ ପ୍ରଦୂଷଣ: ୱାର୍କ ଫ୍ରମ୍ ହୋମ୍ ପରାମର୍ଶ ଦେଲା ସିପିସିବି
ନୂଆଦିଲ୍ଲୀ: ଦିନକୁ ଦିନ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଖରାପ ହେବାରେ ଲାଗିଛି । ଏବେ ସ୍ଥିତି ପୂରା ସଙ୍ଗୀନ ଅବସ୍ଥାକୁ ଚାଲି ଆସିଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ଦିଲ୍ଲୀ ସରକାର ସବୁ ପ୍ରକାର ଚେଷ୍ଟା କରୁଛନ୍ତି । ହେଲେ ସ୍ଥିତିରେ ସୁଧାର ଆସୁନି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) । ଲୋକମାନେ ଜରୁରି କାମ ନଥିଲେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ସେହିପରି ବାୟୁ ପ୍ରଦୂଷଣ ରୋକିବା ଲାଗି ସର୍ବନିମ୍ନ ୩୦ ପ୍ରତିଶତ ଯାନ ବାହାନ କମ୍ ଚଳାଚଳ କରିବାକୁ କୁହାଯାଇଛି । ଏଥିପାଇଁ ଲୋକମାନଙ୍କୁ ୱାର୍କ ଫ୍ରମ୍ ହୋମ୍ ବା ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଛି । ଉଭୟ ସରକାରୀ ଓ ଘରୋଇ ସଂସ୍ଥାକୁ ଏନେଇ ଅବଗତ କରାଇଛି ସିପିସିବି ।
ଦିଲ୍ଲୀରେ ଦେଖା ଦେଇଥିବା ବାୟୁ ପ୍ରଦୂଷଣ କିଭଳି ଭାବେ ନିୟନ୍ତ୍ରଣ କରାଯିବ ସେନେଇ ଗ୍ରେଡେଡ୍ ରେସପନ୍ସ ପ୍ଲାନ୍ (ଗ୍ରାପ୍)ର କାର୍ଯ୍ୟକାରିତା ବୈଠକ ବସିଥିଲା । ଏଥିରେ ଲୋକମାନଙ୍କୁ ପରାମର୍ଶ ଦିଆଯାଇ କୁହାଯାଇଛି ଯେ ଯଥା ସମ୍ଭବ ଲୋକମାନେ ଘରେ ରହିବାକୁ ଚେଷ୍ଟା କରନ୍ତୁ । ପ୍ରତିଦିନ ମାର୍କେଟ୍ ନଯାଇ ଏକସଙ୍ଗେ ପରିବା ଓ ଗ୍ରୋସରୀ ସମଗ୍ରୀ କିଣି ଆଣନ୍ତୁ । ଯେତେ ସମ୍ଭବ ପବ୍ଲିକ୍ ଟ୍ରାନ୍ପୋର୍ଟ ବ୍ୟବହାର କରନ୍ତୁ ।
ଶୁକ୍ରବାର ସକାଳେ ଦିଲ୍ଲୀରେ ବାୟୁମାନ ‘ଅତି ଖରାପ’ ହୋଇଯାଇଥିବା କଥା ବାୟୁ ମାନ ଉପରେ ଦୃଷ୍ଟି ରଖୁଥିବା ‘ମିନିଷ୍ଟ୍ରି ଅଫ୍ ଆର୍ଥ ସାଇନ୍ସେସ୍’ର ‘ସିଷ୍ଟମ୍ ଅଫ୍ ଏୟାର୍ କ୍ବାଲିଟି ଆଣ୍ଡ୍ ୱେଦର୍ ଫୋର୍କାଷ୍ଟିଙ୍ଗ୍ ଆଣ୍ଡ୍ ରିସର୍ଚ’ (ସଫର୍) କହିଥିଲା । ‘ସଫର’ କହିବା ଅନୁସାରେ, ଆଜି ଦିଲ୍ଲୀରେ ହାରାହାରି ‘ଏୟାର୍ କ୍ବାଲିଟି ଇଣ୍ଡେକ୍ସ୍’ (ଏକ୍ୟୁଆଇ) ୩୬୦ ରହିଛି । ଯାହାକି ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ ହାନିକାରକ । ଏହାଦ୍ୱାରା ଶ୍ୱାସଜନିତ ରୋଗ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ସତର୍କ ରହିବାକୁ କୁହାଯାଇଛି ।
Powered by Froala Editor