ଆଜି ୬ଘଣ୍ଟିଆ ଓଡିଶା ବନ୍ଦ ଡାକରା
ଭୁବନେଶ୍ବର: ଆଜି ୬ଘଣ୍ଟିଆ ଓଡିଶା ବନ୍ଦ ଡାକରା । ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ରାଜ୍ୟ କଂଗ୍ରେସର ତରଫରୁ ଏହି ବନ୍ଦ ଡାକରା ଦିଆଯାଇଛି । ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଆଜି ୬ ଘଣ୍ଟିଆ ବନ୍ଦ ପାଳନ କରିବ କଂଗ୍ରେସ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ସକାଳ ୬ଟାରୁ ବନ୍ଦ ପାଳନ ଆରମ୍ଭ ହୋଇଯାଇଥିବା ବେଳେ ଏହା ୧୨ଟା ପର୍ୟ୍ୟନ୍ତ ଜାରି ରହିବ । ତେବେ ପ୍ରତିବାଦ ଶାନ୍ତିପୂର୍ଣ୍ଣ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଏନେଇ ଜରୁରୀକାଳୀନ ସେବା ବ୍ୟତିତ ମୋଟରଯାନ ଓ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଯାତାୟତ କରିପାରିବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।
କିନ୍ତୁ ଏହି ସମୟରେ କୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଂଘନ ହେଲେ ନିଆଯିବ କାର୍ୟ୍ୟାନୁଷ୍ଠାନ। ଓଡ଼ିଶା ବନ୍ଦ କରିବାକୁ କହିଥିଲା କଂଗ୍ରେସ। କିନ୍ତୁ ବନ୍ଦ ପାଳନକୁ ନେଇ ନକାରାତ୍ମକ ବାଣି ଶୁଣାଇଥିଲେ ହାଇକୋର୍ଟ।ବନ୍ଦ ପାଳନକୁ ନେଇ ହାଇକୋର୍ଟ କହିଥିଲେ ଯେ, ରାଜନୈତିକ ଦଳ ବିକ୍ଷୋଭ ପ୍ରଦର୍ଶନ କରିପାରିବେ, କିନ୍ତୁ କାହାର ବ୍ୟକ୍ତିଗତ ସ୍ବାଧୀନତା ଛଡ଼ାଇ ନେଇ ପାରିବେ ନାହିଁ। ଅଖଚକ ବନ୍ଦ କରିବା ମଧ୍ୟ ବେଆଇନ। ହରତାଳ ବେଳେ ରାସ୍ତାରେ କୌଣସି ଗାଡ଼ିମୋଟର ଜବରଦସ୍ତ ଅଟକାଇ ପାରିବେନି ଆନ୍ଦୋଳନକାରୀ । ରେଳ ଓ ବିମାନ ଯାତ୍ରା ବନ୍ଦ କରିପାରିବେନି ।
କୌଣସି ବ୍ୟବସାୟିକ ପ୍ରତିଷ୍ଠାନକୁ ଜୋର ଜବରଦସ୍ତ ବନ୍ଦ କରାଯାଇ ପାରିବନି ବୋଲି ହାଇକୋର୍ଟ କହିଥିଲେ । ବିକ୍ଷୋଭ ପ୍ରଦର୍ଶନ ସମୟରେ ଯଦି କୌଣସି ସ୍ଥାନରେ ବଳପୂର୍ବକ ଦୋକାନ ବଜାର, ପରିବହନ ମାଧ୍ୟମକୁ ବନ୍ଦ କରିବାକୁ କଂଗ୍ରେସ କର୍ମୀ ଚେଷ୍ଟା କରନ୍ତି, ତେବେ ପୋଲିସ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
Powered by Froala Editor