ଡିସେମ୍ବର ୧୫ ତାରିଖ ସୁଦ୍ଧା ଶେଷ ହେବ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା
ଭୁବନେଶ୍ୱର : ଆସନ୍ତା ବର୍ଷ ମାର୍ଚ୍ଚ ୧୧ରେ ପଞ୍ଚାୟତ ସମିତିସ୍ତରୀୟ ନିର୍ବାଚିତ ପ୍ରତିନିଧିଙ୍କର ଏବଂ ମାର୍ଚ୍ଚ ୧୨ରେ ଜିଲ୍ଲା ପରିଷଦ ସଦସ୍ୟମାନଙ୍କର କାର୍ଯ୍ୟକାଳ ଶେଷ ହେବ । ଏହା ପୂର୍ବରୁ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଡିସେମ୍ବର ୧୫ ତାରିଖ ସୁଦ୍ଧା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବ ବୋଲି ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ।
ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ କମିସନର ଶ୍ରୀ ପାଢ଼ୀ ବାଲେଶ୍ୱର ଜିଲ୍ଲା ବ୍ୟତୀତ ସମସ୍ତ ଜିଲ୍ଲାର ୱାର୍ଡୱାରୀ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଚୂଡ଼ାନ୍ତ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ବାଲେଶ୍ୱର ଜିଲ୍ଲାର ରେମୁଣାକୁ ରାଜ୍ୟ ସରକାର ଏନଏସି ଘୋଷଣା କରିଥିବାରୁ ସେଠାରେ କିଛି ଅଞ୍ଚଳ, ଗାଁ ଏନଏସିରେ ମିଶିଛି । ତେଣୁ ସେମାନେ ପୌର ନିର୍ବାଚନରେ ସାମିଲ ହେବେ ।
ପଞ୍ଚାୟତରେ କେଉଁ ଅଞ୍ଚଳ ରହିବ, କେତେ ଭୋଟର ରହିବେ ଆଦି ତଥ୍ୟ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଏପର୍ଯ୍ୟନ୍ତ ଦେଇନି । ଏହି ପ୍ରକ୍ରିୟା ଆସନ୍ତା ୧୫ତାରିଖ ସୁଦ୍ଧା ଶେଷ ହେବ ବୋଲି ରାଜ୍ୟ ସରକାର କହିଛନ୍ତି । ତେଣୁ ପଞ୍ଚାୟତ ନିର୍ବାଚନ ସାରା ରାଜ୍ୟରେ ଏକସଙ୍ଗେ କରିବାରେ କିଛି ସମସ୍ୟା ରହିବନି ।
Powered by Froala Editor