ରାତି ୧୦ଟା ପରେ ବାଣ ଫୁଟାଇଲେ କାର୍ୟ୍ୟାନୁଷ୍ଠାନ
କଟକ: ଦୀପାବଳିରେ ବାଣ ଫୁଟାଇବା ପାଇଁ ରାତି ୮ଟାରୁ ୧୦ ଟା ଯାଏ ସମୟ ନିର୍ଘଣ୍ଟ ଜାରି କରାଯାଇଛି । ଏହି ସମୟ ମଧ୍ୟରେ କେବଳ ସବୁଜ ବାଣ ଫୁଟାଇପାରିବେ । ବାଣ ଫୁଟାଇବା ସମୟରେ ସହରରେ ଯେପରି କୌଣସିଠାରେ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ନ ହୁଏ ସେଥିଲାଗି କମିସନରେଟ୍ ଥାନା ଅଞ୍ଚଳରେ ପାଟ୍ରୋଲିଂ ଉପରେ ଗୁରୁତ୍ୱ ଦିଆଯାଇଛି । ବିଶେଷ କରି ସନ୍ଧ୍ୟା ସମୟରେ ଲୋକଙ୍କ ଚଳାଚଳ ସମୟରେ ଯେପରି ରାସ୍ତାଘାଟ କିମ୍ବା ସର୍ବସାଧାରଣଙ୍କ ଜାଗାରେ କେହି ବାଣ ନ ଫୁଟାନ୍ତି ସେଥିପ୍ରତି ନଜର ରଖିବାକୁ ଥାନା ଅଧିକାରୀମାନଙ୍କୁ ଡିସିପି ସତର୍କ କରାଇଛନ୍ତି । ରାତି ୧୦ ଟା ପରେ ମଧ୍ୟ ବାଣ ଫୁଟାଇବା ଉପରେ କଟକଣା ରହିଥିବାରୁ ଏ ସମୟରେ ମଧ୍ୟ ପୁଲିସ୍କୁ ଆଲର୍ଟ ରହିବାକୁ କୁହାଯାଇଛି ।
ରାତି ୧୦ଟାରୁ କର୍ଫ୍ୟୁ ରହିଥିବାରୁ ଦୀପାବଳି ସମୟରେ ସର୍ବସାଧାରଣଙ୍କ ଯାତାୟାତ ଉପରେ କଟକଣା ରହିଛି । ଏହି ସମୟରେ ରାସ୍ତାଘାଟରେ କେହି ବାଣ ଫୁଟାଇଲେ କଠୋର କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ଚେତାବନୀ ଦେଇଛି । ନୟାସଡ଼କ, ଜାଉଁଳିଆପଟି, ବିନୋଦ ବିହାରୀ, ନିମଚଉଡ଼ି ଆଦି ଅଞ୍ଚଳରେ ମାରୱାଡି ସମ୍ପ୍ରଦାୟର ବ୍ୟବସାୟୀ ରାତି ୧୦ ଟା ପରେ ସାଧାରଣତଃ ପୂଜା କରୁଥିବାରୁ ସେମାନଙ୍କ ପାଇଁ ଉକ୍ତ କର୍ଫ୍ୟୁ କଟକଣା ସାମାନ୍ୟ କୋହଳ ରହିଛି । ସମ୍ପୃକ୍ତ ବ୍ୟବସାୟୀମାନେ ରାତି ୧୦ଟା ପରେ ସେମାନଙ୍କର ବ୍ୟବସାୟ ପ୍ରତିଷ୍ଠାନ ପୂଜା କରିବା ଲାଗି ସୁଯୋଗ ଦିଆଯାଇଛି । ମାତ୍ର ନିମଚଉଡ଼ି ଅଞ୍ଚଳରେ ବିିଗତ ବର୍ଷଗୁଡ଼ିକରେ ରାତି ୧୦ ଟା ପରେ ବାଣ ଫୁଟା ଆଦି ଘଟଣାକୁ ନେଇ ବହୁ ଝମେଲା ସୃଷ୍ଟି ହେବାର ରେକର୍ଡ ରହିଛି । ତେଣୁ ଉକ୍ତ ଅଞ୍ଚଳରେ ଆଇନ୍ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବହୁ ପୁଲିସ ଫୋର୍ସ ମୁତୟନ କରାଯାଇଛି ।
Powered by Froala Editor