ଟ୍ରେନରେ ବାଣ ପରିବହନ ଉପରେ କଟକଣା
ଭୁବନେଶ୍ୱର : ଦୀପାବଳିକୁ ନଜରରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଟ୍ରେନରେ ବାଣ ପରିବହନ ଉପରେ କଟକଣା ଲଗାଯାଇଛି । ଟ୍ରେନ୍ ଯାତ୍ରା ସମୟରେ ଦହନଶୀଳ ପଦାର୍ଥ ଯଥା ଫଟକା, ଗ୍ୟାସ୍ ସିଲିଣ୍ଡର, ଏସିଡ୍, ପେଟ୍ରୋଲ୍, କିରାସିନି ଆଦି ଜ୍ୱଳନ୍ତ ତଥା ବିସ୍ଫୋରକ ସାମଗ୍ରୀ ପରିବହନ କରିବାକୁ ବାରଣ କରାଯାଇଛି । ରେଳବାଇ ଅଧିନିୟମ-୧୯୮୯ ଅନୁଯାୟୀ ଏହା ଦଣ୍ଡନୀୟ ଅପରାଧ ଅଟେ । ଅପରାଧୀଙ୍କୁ ୩ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ । ଟ୍ରେନ୍ ଯାତ୍ରାକୁ ଅଧିକ ନିରାପଦ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଯାତ୍ରୀଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି । ନିଜେ ଏଭଳି ସାମଗ୍ରୀ ପରିବହନ ନ କରିବା ସହ ସହଯାତ୍ରୀଙ୍କୁ ମଧ୍ୟ ବାରଣ କରିବାକୁ କୁହାଯାଇଛି ।
ମେଲ/ଏକ୍ସପ୍ରେସ ଟ୍ରେନରେ ଫଟକା ଅଥବା ବିସ୍ଫୋରକ ପଦାର୍ଥ ପରିବହନକୁ ବାରଣ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏହାର ସମସ୍ତ ୩ଟି ରେଳବାଇ ମଣ୍ଡଳ ଯଥା ଖୋର୍ଦ୍ଧାରୋଡ୍, ସମ୍ବଲପୁର ଓ ୱାଲ୍ଟେୟାରକୁ କଡ଼ା ପଦକ୍ଷେପ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଛି । ଯଦି କୌଣସି ଯାତ୍ରୀ ଜ୍ୱଳନ୍ତ ସାମଗ୍ରୀ ନେଉଥିବାର ଦେଖାଯାଏ, ତେବେ ଟ୍ରେନଯାତ୍ରୀଙ୍କୁ ବିପଦରୁ ରକ୍ଷା କରିବା ପାଇଁ ସହଯାତ୍ରୀମାନଙ୍କୁ ରେଳ ସୁରକ୍ଷା ବଳ(ଆରପିଏଫ) ଓ ସରକାରୀ ରେଳ ପୁଲିସ(ଜିଆରପି) କର୍ମକର୍ତ୍ତା, ଟିଟିଇ, କୋଚ ଆଟେଣ୍ଡାଣ୍ଟ, ଷ୍ଟେସନ ପରିଚାଳକ, ଟ୍ରେନର ଗାର୍ଡମାନଙ୍କୁ ସୂଚନା ଦେବାକୁ ଅନୁରୋଧ କରାଯାଇଛି । ଯାତ୍ରୀମାନେ ଟ୍ରେନ୍ ଚଳାଚଳ ସମ୍ବନ୍ଧୀୟ କୌଣସି ଘଟଣା ବିଷୟରେ ଜଣାଇବାକୁ ହେଲ୍ପଲାଇନ୍ ନମ୍ବର ୧୩୯ ଜାରି ହୋଇଛି ।
ଏହାବ୍ୟତୀତ ଷ୍ଟେସନରେ ସର୍ବସାଧାରଣ ଘୋଷଣା ବ୍ୟବସ୍ଥା ମାଧ୍ୟମରେ ଯାତ୍ରୀଙ୍କୁ ସଚେତନ କରିବା ପାଇଁ ସଚେତନତା ଅଭିଯାନ ମଧ୍ୟ ଚାଲିଛି । ଏହାବ୍ୟତୀତ ଟ୍ରେନ୍ ଓ ଷ୍ଟେସନରେ ଜ୍ୱଳନ୍ତ ସାମଗ୍ରୀ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଟ୍ରେନ୍ ଏସକର୍ଟିଂ ଟିମ ଓ ମେରୀ ସହେଲୀ ଦଳଗୁଡ଼ିକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଷ୍ଟେସନ୍, ଗୁଡ୍ ସେଡ୍, ଗାର୍ଡ ତଥା ଗାର୍ଡର ବ୍ରେକ୍ ଭ୍ୟାନରୁ ଓ ଏସି କୋଚ୍, ପାଣ୍ଟ୍ରି କାର୍ ଏବଂ ଲୋକୋମୋଟିଭରେ ପୃଥକ ଅଗ୍ନି ନିର୍ବାପକ ଯନ୍ତ୍ର ଓ ଉପକରଣ ଯୋଗାଇ ଦିଆଯାଉଥିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ।
Powered by Froala Editor