ଗୃହରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରି ନବୀନ ନିବାସ ଘେରିଲା ଯୁବ କଂଗ୍ରେସ
ଭୁବନେଶ୍ବର: ତୀବ୍ର ହେଉଛି ମହାଲିଙ୍ଗ ସନସାଇନ୍ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ମୃତ୍ୟୁ ମାମଲା । ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ନବୀନ ନିବାସ ଘେରିଲା ଯୁବ କଂଗ୍ରେସ । ମଙ୍ଗଳବାର ମମିତାଙ୍କ ଗଳିତ ମୃତଦେହ ଉଦ୍ଧାର ପରେ ଫେରାର୍ ସ୍କୁଲ୍ ପରିଚାଳନା କମିଟି ମୁଖ୍ୟ ଧରାପଡିଛି ।
ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ବୁଧବାର ନବୀନ ନିବାସ ଘେରିଛନ୍ତି । ନବୀନ ନିବାସକୁ କଂଗ୍ରେସ କର୍ମୀ ଧସେଇ ପଶିବାକୁ ଉଦ୍ୟମ କଲାବେଳେ ପୋଲିସ ସେମାନଙ୍କୁ ଅଟକାଇଛି । ଏହି ସମୟରେ ଯୁବ କଂଗ୍ରେସ କର୍ମୀଙ୍କ ସହ ପୋଲିସ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ଏପରିକି କେତେକ କଂଗ୍ରେସ କର୍ମୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।
କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍ସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ସ୍କୁଲ୍ ସଭାପତି ଗୋବିନ୍ଦ ସାହୁ ହତ୍ୟା କରିଥିବା ପୁଲିସ୍ ନିକଟରେ ସ୍ୱୀକାର କରିଥିବା ସୂଚନା ଆସିଥିବା ବେଳେ ଅନ୍ୟପକ୍ଷରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି। ଗୋବିନ୍ଦ ସାହୁ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କର ଘନିଷ୍ଠ ଥିବା ଜଣାପଡ଼ିବା ପରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ତଥା ଗିରଫ କରିବା ଦାବି ଆଜି ଆହୁରି ଜୋର ଧରିଛି।
ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭବାନୀପାଟଣା ସ୍ଥିତ ଘର ଉପରକୁ ଆଜି ଅଣ୍ଡାମାଡ଼ ହୋଇଛି। ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ତାଙ୍କ ଘର ଉପରକୁ ଅଣ୍ଡାମାଡ଼ କରାଯାଇଛି। ସେମାନେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଗତକାଲି ମନ୍ତ୍ରୀଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡାମାଡ଼ କରାଯାଇଥିଲା।
Powered by Froala Editor