ଜାତୀୟ ସଙ୍ଗୀତ ଫିଲ୍ମର ଅଂଶ, ତେବେ ଠିଆ ହେବା ବାଧ୍ୟତାମୂଳକ ନୁହେଁ
କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ପକ୍ଷରୁ ଜାତୀୟ ସଙ୍ଗୀତ, ଜାତୀୟ ଗୀତ, ରାଜ୍ୟ ଗୀତ ଏବଂ ବିଦେଶୀ ଗୀତ ଗାନକୁ ନେଇ ଏକ ନୂଆ ଗାଇଡଲାଇନ୍ ଜାରି କରାଯାଇଛି । ନୂଆ ଗାଇଡଲାଇନ୍ ଅନୁସାରେ, ପ୍ରଥମେ ‘ବନ୍ଦେ ମାତରମ୍ ’ ଓ ପରେ ‘ଜନ ଗଣ ମନ’ ଗାନ କରାଯିବ। ବନ୍ଦେ ମାତରମର ସମସ୍ତ ୬ଟି ଯାକ ପଦ ଗାନ କରିବା ବାଧ୍ୟତାମୂଳକ କରାଯାଇଛି। ଜାତୀୟ ସଙ୍ଗୀତ ଭଳି ବନ୍ଦେ ମାତରମ୍ ଗାନ କିମ୍ବା ଏହାର ଧୂନ୍ ବାଜିବା ସମୟରେ ମଧ୍ୟ ଉପସ୍ଥିତ ସମସ୍ତ ବ୍ୟକ୍ତି ସମ୍ମାନର ସହ ଛିଡ଼ା ହେବାକୁ ପଡ଼ିବ। ତେବେ ଯଦି କୌଣସି ଚଳଚ୍ଚିତ୍ର, ଡକ୍ୟୁମେଣ୍ଟାରୀ କିମ୍ବା ନ୍ୟୁଜ୍ ରିଲ୍ ର ଅଂଶବିଶେଷ ଭାବେ ସିନେମା ହଲ୍ ଭିତରେ ଏହା ପ୍ରଦର୍ଶିତ ହେଉଥାଏ, ତେବେ ସେଠାରେ ଠିଆ ହେବା ବାଧ୍ୟତାମୂଳକ ନୁହେଁ ବୋଲି ନିୟମ କୋହଳ କରାଯାଇଛି।
ନିର୍ଦ୍ଦେଶନାମା ଅନୁଯାୟୀ, ଯଦି କୌଣସି ନ୍ୟୁଜ୍ ରିଲ୍ କିମ୍ବା ଡକ୍ୟୁମେଣ୍ଟାରୀ ଫିଲ୍ମର ଅଂଶ ବିଶେଷ ଭାବେ ଜାତୀୟ ସଙ୍ଗୀତ ବଜାଯାଏ, ତେବେ ସେଠାରେ ଦର୍ଶକମାନେ ଠିଆ ହେବା ଆବଶ୍ୟକ ନାହିଁ । କାରଣ ସେହି ସମୟରେ ଠିଆ ହେବା ଦ୍ୱାରା ଫିଲ୍ମ ପ୍ରଦର୍ଶନରେ ବାଧା ସୃଷ୍ଟି ହୋଇପାରେ ଏବଂ ଜାତୀୟ ସଙ୍ଗୀତର ଗରିମା ବଢ଼ିବା ପରିବର୍ତ୍ତେ ସେଠାରେ ଦ୍ୱନ୍ଦ୍ୱ ଓ ଅବ୍ୟବସ୍ଥା ସୃଷ୍ଟି ହେବାର ଆଶଙ୍କା ରହିଛି ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଜାତୀୟ ଗୀତ ଏବଂ ଜାତୀୟ ସଙ୍ଗୀତ ଗାନ କରିବା କିମ୍ବା ବଜାଇବା ସମୟରେ ସେଗୁଡ଼ିକର ସଠିକ୍ ପାଠ, ସଠିକ୍ ଲିପି ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଶୁଦ୍ଧ ଉଚ୍ଚାରଣକୁ କଡ଼ାକଡ଼ି ଭାବେ ପାଳନ କରାଯିବ । କେଉଁ କେଉଁ ଅବସରରେ ଏହା ଗାନ କରାଯିବ, ତାର ଏକ ସମ୍ପୂର୍ଣ୍ଣ ତାଲିକା ମଧ୍ୟ ମନ୍ତ୍ରଣାଳୟ ନିଜ ୱେବସାଇଟ୍ ରେ ଉପଲବ୍ଧ କରାଇଛି ।
Powered by Froala Editor