କିପରି କରୋନାକୁ ଦେବେ ମାତ୍, ଉପାୟ କହିଲେ ୩ ଖ୍ୟାତିନାମା ଡାକ୍ତର
ଦେଶରେ କରୋନା ସ୍ଥିତି ଉଦ୍ବେଗଜନକ ସ୍ଥିତିରେ ରହିଛି। ହୁ ହୁ ହୋଇ ବଢୁଥିବା ଆକ୍ରାନ୍ତ ସଂଖ୍ୟା ମଧ୍ୟରେ ଦେଶବାସୀଙ୍କୁ ଦେଶର ୩ ଖ୍ୟାତାନାମା ଡାକ୍ତର ପରାମର୍ଶ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ନାରାୟଣ ହେଲ୍ଥର ମୁଖ୍ୟ ଡାକ୍ତର ଦେବୀ ସେଟ୍ଟୀ, ମେଦାନ୍ତର ମୁଖ୍ୟ ନରେଶ ତ୍ରେହାନ ଓ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଉପସ୍ଥିତ ରହିଥିଲେ। ତିନି ଡାକ୍ତର ଏକ ସଙ୍ଗେ ଆସି କରୋନାର କେମିତି ଚିକିତ୍ସା କରାଯିବ ସାଧାରଣ ଲୋକଙ୍କୁ ବୁଝାଇଛନ୍ତି। ଯଦି ଆପଣ କରୋନା ସଂକ୍ରମିତ ତେବେ କଣ ପଦକ୍ଷେପ ନେବେ ଏବଂ କରୋନାକୁ କେମିତି ମାତ୍ ଦିଆଯାଇ ପାରିବ ଏହି ବିଷୟରେ ବିସ୍ତୃତ ଆଲୋଚନା କରି ଲୋକଙ୍କୁ ପରାମର୍ଶ ଦେଇଛନ୍ତି।
ସେହିପରି କରୋନା ବିରୋଧ ଯୁଦ୍ଧର ୩ ପ୍ରମୁଖ ଅସ୍ତ୍ର ପାରାସିଟମଲ, ରେମଡେସିଭିର ଓ ଅକ୍ସିଜେନର ବ୍ୟବହାର ଉପରେ ବିଶେଷ ତଥ୍ୟ ଦେଇଛନ୍ତି। କରୋନାରୁ ରକ୍ଷା ପାଇବାକୁ ହେଲେ ସବୁବେଳେ ମାସ୍କ ପିନ୍ଧିବାକୁ ପଡ଼ିବ। ସେହିପରି ଆକ୍ରାନ୍ତ ହେଲେ ମଧ୍ୟ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସେମାନେ କହିଛନ୍ତି।
ନାରାୟଣ ହେଲ୍ଥର ମୁଖ୍ୟ ଡାକ୍ତର ଦେବୀ ସେଟ୍ଟୀ ଦେଶବାସୀଙ୍କୁ କହିଛନ୍ତି ଯେ, ଆମକୁ କରୋନାରୁ ବର୍ତ୍ତିବାକୁ ହେଲେ ସବୁ ବେଳେ ମାସ୍କ ପିନ୍ଧିବାକୁ ପଡ଼ିବ। ଶରୀରରେ ସାମାନ୍ୟ ଲକ୍ଷଣ ଦେଖାଦେଲେ ତୁରନ୍ତ ଟେଷ୍ଟ କରିବାକୁ ହେବ। ଯଦି କରୋନା ପଜିଟିଭ ଆସୁଛି, ତା’ହେଲେ ଆଦୌ ଭୟଭୀତ ହୁଅନ୍ତୁ ନାହିଁ। ଯଥା ସମ୍ଭବ ହୋମ୍ ଆଇସୋଲେସନରେ ରହନ୍ତୁ ଓ ପ୍ରତି ୬ ଘଣ୍ଟାରେ ଥରେ ଅକ୍ସିମିଟରରେ ନିଜର ଅକ୍ସିଜେନ୍ ସ୍ତର ଯାଞ୍ଚ କରନ୍ତୁ।
ଯଦି ଆମ ଶରୀରରେ ଅକ୍ସିଜେନ ସ୍ତର ୯୪%ରୁ ଉପରେ ରହିଛି, ତା’ହେଲେ କିଛି ବି ଅସୁବିଧା ନାହିଁ। ଯଦି ଏହା କ୍ରମାଗତ ଭାବେ ହ୍ରାସ ପାଉଛି, ତା’ହେଲେ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡ଼ିବ। ଠିକ ସମୟରେ ଚିକିତ୍ସା ଆରମ୍ଭ କଲେ ନିଶ୍ଚିତ ଜଣେ କରୋନାରୁ ଆରୋଗ୍ୟ ଲାଭ କରିପାରିବେ। ଶରୀର ବିନ୍ଧା ହେବା, ଥଣ୍ଡା, କଫ, କାଶ କିମ୍ବା ବାନ୍ତି ହେଉଛି, ତା’ହେଲେ ଆପଣ ତୁରନ୍ତ ଟେଷ୍ଟ କରାଇବା ଦରକାର ବୋଲି ସେ କହିଛନ୍ତି।
ମେଦାନ୍ତ ହସ୍ପିଟାଲର ମୁଖ୍ୟ ଡାକ୍ତର ନରେଶ ତ୍ରେହାନ କହିଛନ୍ତି ଯେ, ଯଦି ଘରେ ପର୍ଯ୍ୟାପ୍ତ ଜାଗା ନାହିଁ ତେବେ ଆଇସୋଲେସନ ସେଣ୍ଟରକୁ ଯାଆନ୍ତୁ। ହସ୍ପିଟାଲ ପାଖ ପେଡ୍ କ୍ଵାରେଣ୍ଟିନ୍ ସେଣ୍ଟରରେ ମଧ୍ୟ ରହି ପାରିବେ। ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଆନ୍ତୁ ବୋଲି ଡାକ୍ତର ତ୍ରେହାନ କହିଛନ୍ତି।
ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ଯେ, କୋଭିଡ୍ ଔଷଧ ବ୍ୟବହାର ନକରି ବି ୮୫ ପ୍ରତିଶତ ଲୋକ ଭଲ ହେଲେଣି। ସାଧାରଣ ପାରାସିଟାମଲ ଖାଇ ୮୫ ପ୍ରତିଶତ ରୋଗୀ ଆରୋଗ୍ୟ ହେଲେଣି। କେବଳ ୧୫ ପ୍ରତିଶତ ରୋଗୀଙ୍କୁ ରେମଡେସିଭିର ଦେବାକୁ ପଡୁଛି। ତେଣୁ କରୋନା ଆକ୍ରାନ୍ତ ହେଲେ ଆଦୌ ଭୟଭୀତ ହୁଅନ୍ତୁ ନାହିଁ।
Powered by Froala Editor