ପୁଣି ୨ ଜଣଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କୀ
ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ବିହାର ଏବଂ ୟୁପିର ଦୁଇଜଣ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ବିହାରର ଏହି ଶ୍ରମିକଙ୍କ ନାମ ଅରବିନ୍ଦ କୁମାର ଶାହ ବୋଲି ଜଣାପଡ଼ିଛି ଏବଂ ସେ ବିହାରର ବାସିନ୍ଦା। ଇଦଗାହର ଏକ ପାର୍କ ବାହାରେ ଆତଙ୍କବାଦୀମାନେ ଅରବିନ୍ଦଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହା ବ୍ୟତୀତ ୟୁପିର ସାଗିର ଅହମ୍ମଦଙ୍କୁ ପୁଲୱାମାରେ ଗୁଳି କରାଯାଇଥିଲା। ଯାହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଛି। ଅରବିନ୍ଦ ଶ୍ରୀନଗରରେ ଗୁପଚୁପ୍ ବିକ୍ରି କରୁଥିଲେ । ସେହିପରି ସାଗିର ପୁଲଓ୍ବାମାରେ ରହି ବଢେଇ କାମ କରୁଥିଲେ । ଉଭୟଙ୍କୁ ଆତଙ୍କବାଦୀମାନେ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲେ । ପୁଲିସ ପକ୍ଷରୁ ହତ୍ୟାକାଣ୍ଡ ସ୍ଥଳରେ ପହଞ୍ଚି ତଲାସୀ ଅଭିଯାନ ଆରମ୍ଭ କରାଯାଇଛି ।
ଶ୍ରୀନଗରରେ ଅଣ-ମୁସଲମାନ ଏବଂ ବାହାର ଲୋକଙ୍କୁ ନିରନ୍ତର ଟାର୍ଗେଟ କରାଯାଉଛି। ଗତ ଦୁଇ ସପ୍ତାହ ମଧ୍ୟରେ ୯ ଜଣ ଲୋକଙ୍କୁ ହତ୍ୟା କରାଗଲାଣି । ଗତ ସପ୍ତାହରେ ୩ ଜଣ କଶ୍ମୀର ପଣ୍ଡିତଙ୍କୁ ହତ୍ୟା କରାଯିବା ପରେ କେତେକ ପଣ୍ଡିତ ପରିବାର ଘାଟିଛାଡ଼ି ଚାଲିଯାଇଛନ୍ତି । ଭାରତ ସରକାରଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ସ୍କିମ ମାଧ୍ୟମରେ କେତେକ କଶ୍ମୀର ପଣ୍ଡିତଙ୍କୁ ସରକାରୀ ଚାକିରି ଦେଇ ଘାଟିରେ ଅବସ୍ଥାପିତ କରାଯାଇଥିଲା । କିନ୍ତୁ ଆତଙ୍କବାଦୀମାନେ ସେମାନଙ୍କୁ ହତ୍ୟା କରିବା ପରେ ସେମାନେ ଘରଛାଡ଼ି ଚାଲିଯାଇଛନ୍ତି ।
Powered by Froala Editor