୭୬ ବର୍ଷରେ ପାଦ ଦେଲେ ନବୀନ
ଭୁବନେଶ୍ବର: ଓଡିଶା ରାଜନୀତିର ଅପରାଜୟ ନାୟକ ନବୀନ ପଟ୍ଟନାୟକ ଆଜି ୭୬ ବର୍ଷରେ ପାଦ ଦେଇଛନ୍ତି ।
୧୯୪୬ ମସିହା ଆଜିର ଦିନରେ କଟକଠାରେ ଜନ୍ମଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପିତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ମାତା ଜ୍ଞାନ ପଟ୍ଟନାୟକଙ୍କ ସେ ସାନ ପୁଅ । ପ୍ରଥମେ ଡେରାଡୁନର ଉଏଲହାମ ସ୍କୁଲ ଓ ଡୁନ ସ୍କୁଲରେ ଶିକ୍ଷାଲାଭ କରିଥିଲେ । ଏହାପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ କଳାରେ ଡିଗ୍ରୀ ହାସଲ କରି ବିଦେଶ ଯାଇଥିଲେ ନବୀନ । ପିତା ଓଡିଶାର ବରିଷ୍ଠ ରାଜନେତା ଥିଲେ ମଧ୍ୟ ରାଜନୀତି ଠାରୁ କୋଷ ଦୂରରେ ବିଦେଶରେ ରହୁଥିଲେ ନବୀନ ପଟ୍ଟନାୟକ । କିନ୍ତୁ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ସେ ୧୯୯୭ରେ ରାଜନୀତିକୁ ପ୍ରବେଶ କରିଥିଲେ ଏହାର ଏକ ବର୍ଷ ପରେ ବିଜୁ ଜନତା ଦଳ ପ୍ରତିଷ୍ଠା କରିଥିଲେ ନବୀନ ।୧୯୯୭ ମସିହା ଅପ୍ରେଲ ୧୨ ତାରିଖରେ ସେ ଜନତା ଦଳ ଟିକେଟରେ ଆସ୍କା ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । ପରେ ବିଜୁ ଜନତା ଦଳ ଗଠନ କରି ପୁଣି ଲୋକସଭାକୁ ନିର୍ବାଚିତ ହୋଇ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଖଣି ମନ୍ତ୍ରୀ ଭାବେ ଦାୟିତ୍ବ ନିଭାଇଥିଲେ । ଠିକ୍ ସେ ଓଡିଆ କହିପାରୁନଥିବା ବ୍ୟକ୍ତିଟିଏ ଯେ କେବେ ଓଡିଶାର ଶାସନ ଭାର ସମ୍ଭାଳିବ, ତାହା କେହି କଳ୍ପନା ମଧ୍ୟ କରିନଥିଲେ । ୨୦୦୦ ମସିହାରେ କଂଗ୍ରେସକୁ ମାତ୍ ଦେଇ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ । ସେବେଠୁ ଆଉ କେବେ ପଛକୁ ଫେରି ଚାହିଁ ନାହାଁନ୍ତି ଏହି ଜନନାୟକ । ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ଲଗାତାର ଭାବେ ପଞ୍ଚମ ପାଳି ଖେଳିଛନ୍ତି ନବୀନ ।ଓଡିଶା ଏକ ବାତ୍ୟାପ୍ରବଣ ରାଜ୍ୟ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶିତା ଓ ବାତ୍ୟା ସୁପରିଚାଳନା ପାଇଁ ସେ ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛନ୍ତି । ପ୍ରାକୃତିକ ବିପର୍ୟ୍ୟୟ ପରିଚାଳନା ସାଙ୍ଗକୁ ମୋ ସରକାର, ୫ଞ ଭଳି ଅନେକ କ୍ଷେତ୍ରରେ ଅନ୍ୟନେତାଙ୍କ ପାଇଁ ରୋଲ ମଡେଲ ସାଜିଛନ୍ତି ନବୀନ ପଟ୍ଟନାୟକ ।କହିରଖୁଛୁ କି, ଚଳିତ ବର୍ଷ ମଧ୍ୟ କୋଭିଡ-୧୯ ସଂକ୍ରମଣ ଯୋଗୁଁ ଜନ୍ମଦିନ ପାଳିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
Powered by Froala Editor