ଚେନ୍ନାଇ ସୁପର କିଂଗ୍ସ; ଆଇପିଏଲ୍ ଚାମ୍ପିୟନ
ଦୁବାଇ: ପୁଣି ଆଇପିଏଲ୍ରେ ଚମତ୍କାର ପ୍ରଦର୍ଶନ କରିଛି ଧୋନୀଙ୍କ ଚେନ୍ନାଇ ସୁପର କିଂ। ଗୋଟିଏ ବର୍ଷ ତଳେ ଅର୍ଥାତ ଆଇପିଏଲ ୨୦୨୦ରେ ଅତ୍ୟନ୍ତ ନୈରାଶଜନକ ପ୍ରଦର୍ଶନ କରି ପଏ ତାଲିକାର ସର୍ବନିମ୍ନ ସ୍ଥାନରେ ଥିଲା ଚେନ୍ନାଇ ସୁପରକିଙ୍ଗ୍ସ। ଏପରିକି ପ୍ରଥମ ଦଳ ଭାବେ ଗତ ସିଜିନରେ ପ୍ଲେଅଫ୍ରୁ ବାଦ୍ ପଡିଥିଲା ଚେନ୍ନାଇ। ଦଳର ବରିଷ୍ଠ ଖେଳାଳିଙ୍କୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ହେଲେ ଆଇପିଏଲ ୨୦୨୧ରେ ସେହି ସମାନ ଖେଳାଳି ସବୁ ଭୁଲ୍ ପ୍ରମାଣିତ କରିଛନ୍ତି। ପୁଣି ଥରେ ଆଇପିଏଲରେ ବିଜୟ ବାନା ଉଡାଇଛି ଚେନ୍ନାଇ ସୁପରକିଙ୍ଗ୍ସ। ଆଜି ଦୁବାଇର ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍ ମୁକାବିଲାରେ ଚେନ୍ନାଇ କୋଲକାତାଙ୍କୁ ୨୭ ରନରେ ପରାସ୍ତ କରି ଆଇପିଏଲ ୨୦୨୧ ଚାମ୍ପିଅନ ହୋଇଛି। ଏଥିସହ ଧୋନୀଙ୍କ ନେତୃତ୍ଵରେ ଚେନ୍ନାଇ ଚତୁର୍ଥ ଟାଇଟଲ୍ ଜିତିବାରେ ସଫଳ ହୋଇଛି। ଏହା ପୂର୍ବରୁ ଦଳ ଶେଷ ଥର ୨୦୧୮ରେ ସନରାଇଜର୍ସ ହାଇଦ୍ରାବାଦକୁ ୮ ଓ୍ଵିକେଟ୍ରେ ହରାଇ ତୃତୀୟ ଥର ଆଇପିଏଲ ବିଜେତା ହୋଇଥିଲା। ଅନ୍ୟପଟେ ତୃତୀୟ ଥର ଫାପଇନାଲ୍ ପହଞ୍ଚିଥିବା କୋଲକାତାର ତୃତୀୟ ଆଇପିଏଲ ଟାଇଟଲ୍ ଜିତିବା ସ୍ଵପ୍ନ ଧୂଳିସାତ ହୋଇଛି। ଚେନ୍ନାଇ ପୂର୍ବରୁ ୨୦୧୦, ୨୦୧୧ ଆଇପିଏଲରେ ଟାଇଟଲ୍ ହାସଲ କରିଥିଲା।
ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପରକିଙ୍ଗ୍ସ ଫାଫ ଡୁପ୍ଲେସିସ୍ଙ୍କ ୮୬ ରନ ବଳରେ ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍ ହରାଇ ୧୯୨ ରନ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ଋତୁରାଜ ଗାଏକଓ୍ଵାଡ ୩୨, ରବିନ ଉଥପ୍ପା ୩୧ ଏବଂ ମୋଇନ ଅଲ୍ଲୀ ଅପରାଜିତ ୩୭ ରନ କରିଥିଲେ। ଏହାର ଜବାବରେ କୋଲକାତା ଦୁଇ ଓପନର ଶୁଭମାନ ଗିଲ୍(୫୧) ଓ ଭେଙ୍କଟେଶ ଆୟର(୫୦)ଙ୍କ ଅର୍ଦ୍ଧଶତକ ସତ୍ତ୍ଵେ ଶୋଚନୀୟ ପରାଜୟ ଭୋଗିଛି। ଏକଦା ୧୦.୪ ଓଭରରେ ୯୧ ରନ କରିଥିବା କୋଲକାତା ଓପନରଙ୍କ ଆଉଟ୍ ପରେ ବ୍ୟାଟିଂ ବିପର୍ୟ୍ୟୟ ଭୋଗି ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୬୫ ରନ କରିବାକୁ ସକ୍ଷମ ହୋଇଛି।
୧୯୩ ରନର ବିଶାଳ ଲକ୍ଷ୍ୟ ପିଛା କରିଥିବା କୋଲକାତାକୁ ଦୁଇ ଓପନର ଶୁଭମାନ ଗିଲ୍ ଓ ଭେଙ୍କଟେଶ ଆୟର ସେହି ଅନୁସାରେ ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟସମ୍ୟାନ ବିସ୍ଫୋରକ ବ୍ୟାଟିଂ କରି ୧୦.୪ ଓଭରରେ ୯୧ ରନ କରି ଦଳ ବିଜୟର ମୂଳଦୁଆ ପକାଇଥିଲେ। ଭେଙ୍କଟେଶ ଆୟର ୩୨ ବଲ୍ରୁ ୫ ଚୌକା ଓ ୩ ଛକା ସହ ୫୦ ରନ କରି ଆଉଟ୍ ହୋଇଥିଲେ। ଶାର୍ଦ୍ଦୁଳ ଠାକୁର ଓପନିଂ ଯୋଡି ଭାଙ୍ଗିଥିଲେ। ଏହା ପରେ କେକେଆର ବ୍ୟାଟିଂ ବିପର୍ୟ୍ୟୟ ଭୋଗିଥିଲା। ଶୁଭମାନ ଗିଲ୍ ୪୩ ବଲ୍ରୁ ୬ ଚୌକା ସହ ୫୧ ରନ କରି ଆଉଟ୍ ହୋଇଥିଲେ। ଦୁଇ ଓପନରଙ୍କ ପରେ ନିମ୍ନ କ୍ରମରେ ଶିବମ ମାଭି ଓ ଲୋକି ଫର୍ଗ୍ୟୁସନଙ୍କୁ ବାଦ୍ ଦେଲେ ଆଉ କୌଣସି ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ମଧ୍ୟକ୍ରମ ବ୍ୟାଟସମ୍ୟାନଙ୍କ ବିଫଳତା କାରଣରୁ କୋଲକାତା ନାଇଟ୍ ରାଇଡର୍ସ ୧୫୦ ରନ ମଧ୍ୟ କରି ପାରିନାହିଁ। ଏକଦା ୯୧ ରନରେ ଗୋଟିଏ ଓ୍ଵିକେଟ୍ ହରାଇଥିବା କୋଲକାତା ମାତ୍ର ୪୦ ରନରେ ୭ ଓ୍ଵିକେଟ୍ ହରାଇ ୧୪୦ ରନ କରିବାକୁ ସକ୍ଷମ ହୋଇଛି। ଶେଷ ଆଡକୁ ଶିବମ ମାଭି ୨୦ ରନ କରିଥିଲେ। ଲୋକି ଫର୍ଗ୍ୟୁସନ ୧୮ ରନ କରି ଅପରାଜିତ ଥିଲେ। ଏଥି ସହ କୋଲକାତା ୨୭ ରନରେ ହାରିବା ସହ ତୃତୀୟ ଟାଇଟଲ୍ ଜିତିବାର ସ୍ଵପ୍ନ ଧୂଳିସାତ ହୋଇଛି।
ଚେନ୍ନାଇ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ୨୧ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ଜୋସ ହେଜେଲଉଡ ୨, ରବୀନ୍ଦ୍ର ଜାଡେଜା ୨ ଏବଂ ଦୀପକ ଚହର ଓ ଡ୍ଵେନ ବ୍ରାଭୋ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।
Powered by Froala Editor