ନୂଆ BS-ସିକ୍ସ ଗାଡ଼ି ପାଇଁ ୩ ବର୍ଷ ପର୍ଯ୍ୟନ୍ତ ମିଳିବ PUC ସାର୍ଟିଫିକେଟ
ନୂଆଦିଲ୍ଲୀ: ପ୍ରଦୂଷଣ ସାର୍ଟିଫିକେଟ୍ ନେଇ ଆସିଲା ନୂଆ ନିୟମ । ଅବଧିରେ ଆସିଲା ବଡ଼ ପରିବର୍ତ୍ତନ । ଏଣିକି ନୂଆ BS-ସିକ୍ସ ଗାଡ଼ି ପାଇଁ ୩ ବର୍ଷ ପର୍ଯ୍ୟନ୍ତ ମିଳିବ PUC ସାର୍ଟିଫିକେଟ । କିନ୍ତୁ ପୁରୁଣା ଗାଡ଼ି ପାଇଁ ଜାରି ରହିବ ଯାଞ୍ଚ । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ଏହି ନୂଆ ବ୍ୟବସ୍ଥା । ଏଣିକି ସବୁ ଗାଡ଼ି ପାଇଁ ସମାନ ସମୟରେ ପଲ୍ୟୁସନ୍ ସାର୍ଟିଫିକେଟ୍ ନବୀକରଣ କରିବାକୁ ପଡ଼ିବ ନାହିଁ । ଗାଡ଼ିର ଅବଧି, ଏମିସନ୍ ଷ୍ଟାଣ୍ଡାର୍ଡ ଓ ବ୍ୟବହାର ଅନୁସାରେ ନିର୍ଦ୍ଧାରିତ ହେବ PUC ସାର୍ଟିଫିକେଟ୍ ର ବୈଧତା ।
ତେବେ ଏହାର ବଡ଼ ଫାଇଦା ପାଇପାରିବେ BS-ସିକ୍ସ ଗାଡ଼ି କିଣିଥିବା ମାଲିକ। ପୂର୍ବରୁ ପଞ୍ଜୀକୃତ ତାରିଖଠାରୁ ୬ ବର୍ଷ ପର୍ଯ୍ୟନ୍ତ ଅବଧି ଥିବା BS-ସିକ୍ସ ଗାଡ଼ିଗୁଡ଼ିକର PUC ବୈଧତା ଏକ ବର୍ଷ ଥିଲା । କିନ୍ତୁ ଏହି ବୈଧତାକୁ ୩ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ସେହିପରି ୬ ବର୍ଷରୁ ଅଧିକ ଓ ୧୦ ବର୍ଷ ପର୍ଯ୍ୟନ୍ତ ପୁରୁଣା BS-ସିକ୍ସ ଗାଡ଼ି ପାଇଁ ମିଳିବ ଏକ ବର୍ଷର ବୈଧତା ।
ଆଉ ୧୦ ବର୍ଷରୁ ଅଧିକ ପୁରୁଣା ଗାଡ଼ିର PUC ପ୍ରତି ୬ ମାସରେ ନବୀକରଣ କରିବାକୁ ପଡ଼ିବ। ସେପଟେ ପରିବହନ ଗାଡ଼ି ପାଇଁ ମଧ୍ୟ ବଦଳିଛି ନିୟମ । ୬ ବର୍ଷ ପର୍ଯ୍ୟନ୍ତ କାଗଜପତ୍ର ଅବଧି ଥିବା BS-ସିକ୍ସ ପରିବହନ ଗାଡ଼ିକୁ ୨ ବର୍ଷର PUC ବୈଧତା ମିଳିବ। ୬ରୁ ଅଧିକ ଓ ୧୦ ବର୍ଷ ପର୍ଯ୍ୟନ୍ତ ଗାଡ଼ି ପାଇଁ ବୈଧତା ରହିବ ଏକ ବର୍ଷ ।
କିନ୍ତୁ ୧୦ ବର୍ଷରୁ ଅଧିକ ପୁରୁଣା BS-ସିକ୍ସ ପରିବହନ ଗାଡ଼ିକୁ ପ୍ରତି ୬ ମାସରେ ପଲ୍ୟୁସନ୍ ଟେଷ୍ଟ କରାଇ ସାର୍ଟିଫିକେଟ୍ ନବୀକରଣ କରିବାକୁ ପଡ଼ିବ ।
Powered by Froala Editor