ଏହି ପଦ୍ଧତିରେ ଘୋଷଣା ହେବ ମାଟ୍ରିକ ଫଳାଫଳ

ଭୁବନେଶ୍ୱର: କରୋନାର ଭୟ ଭିତରେ ଆଜି ଏକ ବଡ଼ ଖବର ସାମନାକୁ ଆସିଛି । ମାଟ୍ରିକ ପରୀକ୍ଷାକୁ ରାଜ୍ୟ ସରକାର ବାତିଲ କରିଦେଇଛନ୍ତି । ମାଦ୍ରାସା ପରୀକ୍ଷାକୁ ମଧ୍ୟ ରାଜ୍ୟ ସରକାର ବାତିଲ କରିଛନ୍ତି । ସିବିଏସଇ ଓ ସିଆଇଏସସିଇ ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ବାତିଲ ପରେ ଓଡ଼ିଶା ସରକାର ମଧ୍ୟ ସମାନ ପନ୍ଥା ଆପଣାଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମାଟ୍ରିକ ପରୀକ୍ଷାକୁ ବାତିଲ କରିଦେଇଛନ୍ତି । ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ମାଟ୍ରିକ ପରୀକ୍ଷାକୁ ବାତିଲ କରାଯାଇଛି । ଏନେଇ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଛନ୍ତି ।
ତେବେ ବୋର୍ଡର ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ପରୀକ୍ଷା ଫଳ ଘୋଷଣା ହେବ । ପରୀକ୍ଷା ଫଳକୁ ନେଇ ଅସହମତି ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ପରୀକ୍ଷା ହେବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।
ପ୍ରକାଶ ଯେ, ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ହେବାକୁ ଥିବା ବିଭିନ୍ନ ପରୀକ୍ଷାକୁ ସ୍ଥଗିତ କରାଯାଇଛି । କିଛି ଦିନ ପୂର୍ବରୁ ଦଶମ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା । ପୂର୍ବରୁ ମେ ୩ ତାରିଖରେ ହେବାକୁ ଥିବା ମାଟ୍ରିକ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ଜାରି ହୋଇଥିବା ପ୍ରେସ ବାର୍ତାରେ କୁହାଯାଇଥିଲା କରୋନା ସ୍ଥିତିରେ ଉନ୍ନତି ଆସିବା ପରେ ପରୀକ୍ଷା ସମ୍ପର୍କରେ ନିଷ୍ପତି ନିଆଯିବ । ରାଜ୍ୟରେ ଫେବୃୟାରୀରେ ମାଟ୍ରିକ ପରୀକ୍ଷା ହେଉଥିବା ବେଳେ ଏହାକୁ ମେ ୩ ତାରିଖକୁ ଘୁଂଚା ଯାଇଥିଲା । ପରୀକ୍ଷା ସ୍ଥଗିତ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସତ୍ୱେ ରାଜ୍ୟରେ ୬ ଲକ୍ଷ ୧୯ ହଜାର ମାଟ୍ରିକ ପରୀକ୍ଷାର୍ଥୀଙ୍କ ଭବିଷ୍ୟତକୁ ନେଇ ଅନିଶ୍ଚତତା ଦେଖାଦେଇଥିଲା । କାରଣ ପରୀକ୍ଷା ହେବ ନା ନାହିଁ ସେନେଇ ଦ୍ୱନ୍ଦ୍ୱରେ ଥିଲେ ଛାତ୍ରଛତ୍ରୀ । ଗତକାଲି ନବୀନ ନିବାସ ସମ୍ମୁଖରେ ଏବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପହଞ୍ଚିଥିଲେ । ପରୀକ୍ଷା ଦ୍ୱନ୍ଦ୍ୱ ଦୂର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିବା ପାଇଁ ଛାତ୍ରଛାତ୍ରୀ ପହଞ୍ଚିଥିଲେ । ବର୍ତ୍ତମାନ ସ୍ଥିତିକୁ ଦେଖି ପରୀକ୍ଷା ବାତିଲ ଘୋଷଣା କରିବାକୁ ଦାବି କରିଥିଲେ । ଛାତ୍ରଛାତ୍ରୀମାନେ ଗଣଶିକ୍ଷାମନ୍ତ୍ରୀଙ୍କୁ ବି ଭେଟି ଅନୁରୂପ ଦାବି କରିଥିଲେ । କରୋନା ସମୟରେ ପରୀକ୍ଷା ହେବ କି ନାହିଁ । ଯଦି ହେବ ତେବେ ଅନଲାଇନରେ ହେବ କି ଅଫଲାଇନରେ ହେବ ସେ ସମ୍ପର୍କିତ ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଛାତ୍ରଛାତ୍ରୀ ଦାବି କରିଥିଲେ ।
ଗତକାଲି ଆଇସିଏସଇ ଦଶମ ପରୀକ୍ଷା ବାତିଲ କରାଯାଇଥିଲା । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସିଆଇଏସସିଇ ନିଷ୍ପତ୍ତି ବଦଳାଇଥିଲା । ଏପ୍ରିଲ ୧୬ରେ ଆଇସିଏସଇ ଦଶମ ପରୀକ୍ଷା ସ୍ଥଗିତ ନିଷ୍ପତ୍ତି ହୋଇଥିଲା । ନିଷ୍ପତ୍ତି ବଦଳାଇ ସିଆଇଏସସିଇ ପକ୍ଷରୁ ଆଇସିଏସଇ ଦଶମ ପରୀକ୍ଷାକୁ ବାତିଲ କରାଯାଇଥିଲା । ମାତ୍ର ଆଇଏସସି ଦ୍ୱାଦଶ ପରୀକ୍ଷା ସ୍ଥଗିତ ନିଷ୍ପତ୍ତି ଏବେ ବି କାଏମ ରହିଛି ।
Powered by Froala Editor