ପ୍ରବାସୀ ଫେରିବା ସମ୍ଭାବନା, ଜିଲ୍ଲାରେ କୋଭିଡ କେୟାର ସେଣ୍ଟର ପ୍ରସ୍ତୁତ ରଖିବାକୁ ହେବ : ମୁଖ୍ୟମନ୍ତ୍ରୀ

କରୋନା ସଂକ୍ରମଣର ମୁକାବିଲା କରିବା ପାଇଁ ରାଜ୍ୟରେ କୋଭିଡ୍ ବେଡ୍ ବୃଦ୍ଧି କରିବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଦେଇଛନ୍ତି। ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର କୋଭିଡ ସ୍ଥିତି ସମୀକ୍ଷା କରିବା ପରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଭିନ୍ନ ରାଜ୍ୟରେ ଲକ୍ଡାଉନ୍ ଲାଗୁ ହୋଇଛି। ତେଣୁ ସେଠାରୁ ପ୍ରବାସୀ ଫେରିବା ସମ୍ଭାବନା ରହିଛି। ଏଣୁ ଜିଲ୍ଲାରେ କୋଭିଡ କେୟାର ସେଣ୍ଟର ପ୍ରସ୍ତୁତ ରଖିବାକୁ ହେବ। ଗତ ବର୍ଷ ଭଳି ପରିସ୍ଥିତି ଉପୁଜିପାରେ। ତେଣୁ ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଏଥିସହ ସର୍ବାଧିକ ବେଡ୍କୁ ଅମ୍ଲଜାନ ବ୍ୟବସ୍ଥା ଉପଲବ୍ଧ କରାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଅମ୍ଳଜାନ କେତେ ଉପଲବ୍ଧ ଅଛି ସେଥିପ୍ରତି ଦୃଷ୍ଟି ରଖିବାକୁ ହେବ। ରାଜ୍ୟରେ ଯେଭଳି ଔଷଧ ଅଭାବ ନରୁହେ ସେଥି ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେବା ସହିତ କରୋନାର ୨ୟ ଲହର ଉପରେ ଲୋକଙ୍କୁ ଅଧିକରୁ ଅଧିକ ସଜାଗ କରିବାକୁ କହିଛନ୍ତି। ମିଶନ ଶକ୍ତି ଗ୍ରୁପ ଓ ପଂଚାୟତସ୍ତରୀୟ କର୍ମଚାରୀଙ୍କୁ କରୋନା ମୁକାବିଲା ପାଇଁ ନିୟୋଜିତ କରାଯାଇପାରିବ। ସମସ୍ତ ପ୍ରବାସୀ ଫେରନ୍ତାଙ୍କ କ୍ଵାରେଣ୍ଟାଇନ୍ ଓ ଟେଷ୍ଟିଂ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅତ୍ୟନ୍ତ ଦୟନୀୟ ପରିସ୍ଥିତି ପର୍ଯ୍ୟନ୍ତ ଆମ ପ୍ରସ୍ତୁତି ରହିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବର୍ତ୍ତମାନ ଯଥେଷ୍ଟ ଔଷଧ ଥିଲେ ମଧ୍ୟ ଭବିଷ୍ୟତ ପାଇଁ ପର୍ଯ୍ୟାପ୍ତ ମହଜୁଦ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଲକ୍ଡାଉନ୍ ଭଳି ପରିସ୍ଥିତି ଟାଳିବାକୁ ଲୋକଙ୍କୁ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି। ରାଜ୍ୟରେ ବର୍ତ୍ତମାନ ଅନେକ କଟକଣା ସହ ନାଇଟ୍ କର୍ଫ୍ୟୁ ଏବଂ ସପ୍ତାହାନ୍ତ ସଟ୍ଡାଉନ୍ ଜାରି ରହିଛି। ଯଦି ସ୍ଥିତିରେ ସୁଧାର ନଆସେ ତେବେ ରାଜ୍ୟରେ ଲକ୍ଡାଉନ୍ ଭଳି ପରିସ୍ଥିତି ଏଡାଇ ଦିଆଯାଇନପାରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Powered by Froala Editor