ଖେରୀ ହିଂସା ତାତି: ଅଖିଳେଶ ଯାଦବଙ୍କୁ ହେପାଜତକୁ ନେଲା ପୋଲିସ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ହିଂସାରେ ରାଜନୀତି ବଢିବାରେ ଲାଗିଛି । ଏହି ହିଂସାକାଣ୍ତରେ ୮ ଜଣ କୃଷକଙ୍କ ମୃତ୍ୟୁ ହେବା ପରେ ମୃତ କୃଷକଙ୍କ ସମ୍ପର୍କୀୟଙ୍କୁ ଭେଟିବାକୁ ଆସିଥିବା ପ୍ରିୟଙ୍କା ଗାନ୍ଧୀଙ୍କୁ ପୋଲିସ ଅଟକ ରଖିବା ପରେ ଅଖିଳେଶ ଯାଦବଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ । ଅଖିଳେଶଙ୍କ ବାସଭବନ ବାହାରେ ଖେରୀ ହିଂସାକୁ ନେଇ ଧାରଣାରେ ବସିଥିଲେ । ଏହାପରେ ପୋଲିସ ତାଙ୍କୁ ହେପାଜତକୁ ନେଇଥିବା ଜଣାପଡିଛି ।
ସୂଚନା ଥାଉକି, ଏହି ହିଂସାକାଣ୍ଡ ପରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ସୋମବାର ଲକ୍ଷ୍ମୀପୁର ଖେରୀ ଯିବେ ବୋଲି ଘୋଷଣା କରିଥିଲେ । ଅଖିଳେଶ ଯାଦବ ସମସ୍ତ ବରିଷ୍ଠ ନେତାଙ୍କୁ ସକାଳେ କାର୍ୟ୍ୟାଳୟକୁ ଡାକିଥିଲେ । କିନ୍ତୁ ଏହାପୂର୍ବରୁ ପୋଲିସ ଅଖିଳେଶ ଯାଦବଙ୍କ ବାସଭବନକୁ ଘେରାଉ କରିଥିଲା । ଏହି ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି ।ଲକ୍ଷ୍ମୀପୁର ଖେରୀ ହିଂସା ଘଟଣାରେ ଗତକାଲି ଟ୍ବିଟ କରି ଅଖିଳେଶ ଯାଦବ ବିଜେପି ସରକାରକୁ କଡ଼ା ସମାଲୋଚନା କରିଥିଲେ । ସେ ଲେଖିଛନ୍ତି ଯେ, କୃଷି ଆଇନକୁ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରୁଥିବା କୃଷକମାନଙ୍କୁ, ବିଜେପି ସରକାର ତଥା ଗୃହମନ୍ତ୍ରୀଙ୍କ ପୁଅ ଗାଡ଼ି ମଡାଇ ଅତି ଅମାନୁଷିକ ତଥା ନିଷ୍ଠୁର ଭାବେ ହତ୍ୟା କରିଛି । ୟୁପିରେ ସାଧାରଣ ଲୋକଙ୍କ ଉପରେ ଅହଂକାରୀ ବିଜେପି କରୁଥିବା ଅତ୍ୟାଚାରକୁ ଆଉ ସହି ହେବ ନାହିଁ। ଯଦି ଏଭଳି ପରିସ୍ଥିତି ଜାରି ରହେ, ତେବେ ୟୁପିରେ ବିଜେପି ନା କାରରେ ଯାଇପାରିବ ନା ଓହ୍ଲାଇ ପାରିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ଅଖିଳେଶ ଯାଦବ ।ସୂଚନା ଅନୁସାରେ, ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀରେ ଚାଷୀଙ୍କ ପ୍ରଦର୍ଶନ ଚାଲିଥିଲା । ଏହି ସମୟରେ ଚାଷୀଙ୍କ ଉପରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ କାର ଚଢାଇ ଦେଇଥିବା ଅଭିଯୋଗ ହୋଇଛି । ପରେ ଏ ଘଟଣାରେ ଉଗ୍ର ରୂପ ନେଇଥିଲା । ହିଂସାରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛି ପୋଲିସ । ଏଭଳି ସ୍ଥିତିରେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ରାଜନୈତିକ ଉତ୍ତେଜନା ମଧ୍ୟରେ ଲକ୍ଷ୍ମୀପୁରରେ ପହଞ୍ଚିଛନ୍ତି, କିନ୍ତୁ ତାଙ୍କୁ ମୃତକଙ୍କ ପରିବାରକୁ ଭେଟିବାକୁ ଦିଆଯାଇ ନାହିଁ। ଏପଟେ କୃଷକ ନେତା ରାକେଶ ଟିକାୟତ ଖେରୀରେ ପହଞ୍ଚିଛନ୍ତି।
Powered by Froala Editor