ଦୁର୍ଗାପୂଜା ପାଇଁ ପଶ୍ଚିମବଙ୍ଗରେ କୋହଳ ହେଲା କଟକଣା
ଆଗକୁ ଦୁର୍ଗାପୂଜା ଥିବାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଅକ୍ଟୋବର ୧୦ରୁ ୨୦ ତାରିଖ ଯାଏ ପଶ୍ଚିମବଙ୍ଗରେ କୌଣସି ପ୍ରକାରର କଟକଣା ରହିବ ନାହିଁ। ଲୋକମାନେ ନିଜ ଇଚ୍ଛା ଅନୁସାରେ ଯିବା ଆସିବା କରିପାରିବେ ବୋଲି ଆଜି ଅକ୍ଟୋବର ମାସର ଗାଇଡଲାଇନ ଜାରି କରି ପଶ୍ଚିମବଙ୍ଗ ସରକାର କହିଛନ୍ତି।
ସୂଚନାଯୋଗ୍ୟ, କୋଲକାତାରେ ଦୁର୍ଗାପୂଜା ବେଶ ପ୍ରସିଦ୍ଧ। ବିଭିନ୍ନ ରାଜ୍ୟରୁ ଲୋକମାନେ ପୂଜାବେଳେ ଏଠାକୁ ଆସନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି। ପୂର୍ବରୁ ରାଜ୍ୟରେ ରାତି ୧୧ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ଲାଗୁ ହେଉଥିଲା। କେବଳ ଜରୁରୀ ଓ ଅନୁମତିପ୍ରାପ୍ତ ଲୋକଙ୍କୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହୁଥିଲା। କିନ୍ତୁ ନୂଆଗାଇଡଲାଇନ ଅନୁସାରେ ଅକ୍ଟୋବର ୧୦ରୁ ୨୦ ତାରିଖ ଯାଏ ରାତି ୧୧ରୁ ଭୋର ୫ଟା ଯାଏ ଲାଗୁଥିବା କର୍ଫ୍ୟୁକୁ ହଟାଇ ଦେଇଛନ୍ତି। ଏହି ସମୟସୀମାରେ ଲୋକମାନେ ବିନା ବାଧାରେ ଯିବା ଆସିବା କରିପାରିବେ। ତେବେ ସମସ୍ତଙ୍କୁ କରୋନା କଟକଣା ମାନିବାକୁ ପଡ଼ିବ। ସମସ୍ତେ ମାସ୍କ ଓ ସାମାଜିକ ଦୂରତା ରକ୍ଷା କରି ପୂଜା ବୁଲି ପାରିବେ।
ସେହିପରି ସେପ୍ଟେମ୍ବର ମାସରେ ଜାରି କରାଯାଇଥିବା ଗାଇଡଲାଇନ ଅକ୍ଟୋବର ମାସରେ ମଧ୍ୟ ବଳବତ୍ତର ରହିବ ବୋଲି ସରକାର କହିଛନ୍ତି। ଲୋକାଲ ଟ୍ରେନ ପୂର୍ବଭଳି ବନ୍ଦ ରହିବ। କିନ୍ତୁ ମେଟ୍ରୋ ସେବା ଅକ୍ଟୋବରରେ ଜାରି ରହିବ।
Powered by Froala Editor