ପ୍ରେମୀ ଯୁଗଳଙ୍କ ଉପରେ ପଡ଼ିଗଲା ଗଛ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ମହୁଲତା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ପ୍ରେମୀ ଯୁଗଳ ବାଇକରେ ଯାଉଥିବା ବେଳେ ଏକ ଶାଳ ଗଛ ହଠାତ୍ ଉପୁଡ଼ି ସେମାନଙ୍କ ଉପରେ ପଡ଼ି ଯାଇଥିଲା । ଘଟଣାସ୍ଥଳରେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଯୁବକ ଜଣଙ୍କ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
ମଙ୍ଗଳବାର ସକାଳେ ଖଣ୍ଡାଧାର ଜଳ ପ୍ରପାତ ଅଞ୍ଚଳରୁ ପ୍ରେମୀ ଯୁବକ ଏକ ବାଇକ୍ ଯୋଗେ ଫେରୁଥିଲେ । ମହୁଲତା ଗ୍ରାମ ନିକଟରେ ଗଛଟି ସେମାନଙ୍କ ଉପରେ ପଡ଼ି ଯାଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରିଥିଲେ । ହେଲେ ଗଛଟି ବଡ଼ ଥିବାରୁ ହଟାଇବା ସମ୍ଭବ ହୋଇନଥିଲା । କୁଳିପୋଷ ରେଞ୍ଜର ଘଟଣାସ୍ଥଳରେ ପହଞ୍ଚି ଗଛ ହଟାଇବା ସହିତ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଥିଲେ । ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ସମ୍ପୃକ୍ତ ଯୁବତୀଙ୍କ ପରିଚୟ ମିଳିପାରିନି । ତେବେ ସେ ଲାଠିକଟା ବ୍ଲକ୍ ଏରଗେଡ଼ା ଗ୍ରାମର ବୋଲି କିଛି ଲୋକ କହିଛନ୍ତି । ଏନେଇ ପୁଲିସ୍ ତଦନ୍ତ ଚଳାଇଛି । ଖୁବ୍ ଶୀଘ୍ର ତାଙ୍କ ପରିଚୟ ମିଳିବ ବୋଲି ପୁଲିସ୍ କହିଛି ।
Powered by Froala Editor