ଏହି ଉପାୟରେ ବନାନ୍ତୁ ସୁଆଦିଆ ଖେଚୁଡି

ଖେଚୁଡି ହେଉଛି ସବୁଠାରୁ ସ୍ୱାସ୍ଥ୍ୟକର ଖାଦ୍ୟ । ଏଥିରେ ଅନେକ ପରିମାଣରେ ପୋଷଣ ଭରି ରହିଛି । ଏହା ସବୁ ବୟସ ବର୍ଗର ଲୋକଙ୍କ ପାଇଁ ଅତ୍ୟନ୍ତ ହିତକାରୀ ହୋଇଥାଏ । ଲୋକେ ଭିନ୍ନଭିନ୍ନ ଉପାୟରେ ଖେଚେଡି ବନାଇଥାନ୍ତି । କିନ୍ତୁ ଆଜି ଯେଉଁ ଖେଚୁଡି ବିଷୟରେ ପଢିବେ, ଏହା ସବୁଠାରୁ ଭିନ୍ନ ଓ ସୁଆଦିଆ ଲାଗିଥାଏ ।
ଏହି ଖେଚୁଡି ବନେଇବା ପାଇଁ ପ୍ରଥମେ କିଛି ଅରୁଆ ଚାଉଳ, ଅଳ୍ପ ମୁଗ ଡାଲି, ଅଦା ଛେଚା, ନିଜ ପସନ୍ଦର ପରିବା, ଗୋଟେ ଅନ୍ନପୂର୍ଣ୍ଣା ପତ୍ର ଓ ତେଜପତ୍ର, ଗୋଟେ ଗୁଜୁରାତି, ଡାଲଚିନିଗୁଣ୍ଡ, ଲୁଣ, ହଳଦୀ, ଲଙ୍କା ଗୁଣ୍ଡ, ଜିରା, ଚିନି, କିଛି ଘିଅ ଓ ନଡିଆ କୋରା ନିଅନ୍ତୁ ।
ପ୍ରସ୍ତୁତି: ପ୍ରଥମେ ନିଆଁରେ କଡେଇ ବସାଇ, ସେଥିରେ ଅଳ୍ପ ତେଲ ପକାନ୍ତୁ (ଆପଣ ଚାହିଁଲେ ଘିଅ ବ୍ୟବହାର କରିପାରିବେ), ଏହାପରେ ଜିରା ଫୁଟାନ୍ତୁ ଓ ଛେଚା ଅଦା ଓ ଗୁଜୁରାତି ପକାନ୍ତୁ, ପରେ ସବୁ ପରିବା ପକାନ୍ତୁ ଓ ପରିବାରେ ଲୁଣ, ହଳଦୀ, ଲଙ୍କାଗୁଣ୍ଡ ପକାଇ ଟିକେ ସମୟ ଭାଜନ୍ତୁ । ଏହାପରେ ଅନ୍ନପୂର୍ଣ୍ଣାପତ୍ର, ତେଜପତ୍ର, ଚାଉଳ ଓ ଡାଲିକୁ ଭଲ ଭାବେ ଧୋଇ ସେଥିରେ ପକାନ୍ତୁ ଓ ଚାଉଳର ମାପ ଅନୁସାରେ ପାଣି ଦେଇ କିଛି ସମୟ ଘୋଡେଇ ଛାଡିଦିଅନ୍ତୁ । ଚାଉଳ ଭଲ ଭାବେ ସିଝି ଗଲା ପରେ ଡାଲଚିନି ଗୁଣ୍ଡ, ଚିନି, ନଡିଆ କୋରା ଓ ଘିଅ ପକାଇ ଗୋଳାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ସୁଆଦିଆ ଖେଚୁଡି। ଆପଣ ଚାହିଁଲେ ଏହାକୁ ପ୍ରେସର କୁକରରେ ମଧ୍ୟ କରିପାରିବେ ।
Powered by Froala Editor