ବସ୍ତିରେ ପାକିସ୍ତାନ ଟଙ୍କା, ବାଂଲାଦେଶୀ ଶରଣାର୍ଥୀଙ୍କୁ କ୍ରାଇମବ୍ରାଞ୍ଚର ଜେରା
ଭୁବନେଶ୍ୱର : ରାଜ୍ୟର କେତେକ ଆଗଧାଡ଼ିର ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ଏବେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ବସ୍ତିରେ ପାକିସ୍ତାନର ଟଙ୍କା ପହଁଚିଥିବା ବେଳେ ଏହା ଉପରେ ଏବେ ପୁଲିସର ଆଖି ରହିଛି । ପ୍ରକାଶିତ ଖବର ଅନୁଯାୟୀ, ବାଲେଶ୍ୱର ଚାନ୍ଦିପୁରରେ ରହୁଥିବା ବାଂଲାଦେଶୀ ଶରଣାର୍ଥୀଙ୍କ ବସ୍ତିରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ । ବସ୍ତିର ପ୍ରାୟ ୪ ଜଣ ବାଂଲାଦେଶୀ ଶରଣାର୍ଥୀଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିବା କୁହାଯାଉଛି । ଏମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ଉତ୍ତରପ୍ରଦେଶର ହ୍ୟାଣ୍ଡଲର ମାଧ୍ୟମରେ ଆଇଟିଆରର କର୍ମଚାରୀଙ୍କ ପାଇଁ ପାକିସ୍ତାନରୁ ଟଙ୍କା ଆସିଛି । ଆତଙ୍କବାଦୀଙ୍କ ପାଇଁ ବାଂଲାଦେଶୀଙ୍କ ବ୍ୟାଙ୍କ ଆକାଉଣ୍ଟ ଭଡ଼ାରେ ଲାଗିଥିବା ସନ୍ଦେହ କରାଯାଉଛି । ଗୋପନୀୟ ଭାବେ ଏହି ବାଂଲାଦେଶୀ ଶରଣାର୍ଥୀଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଛି । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଗିରଫ ୫ ଜଣଙ୍କୁ ରିମାଣ୍ଡରେ ଆଣିବା ପାଇଁ କ୍ରାଇମବ୍ରାଞ୍ଚ ୭ ଦିନିଆ ରିମାଣ୍ଡ ଆବେଦନ କରିଛି । ରିମାଣ୍ଡରେ ଆସିଲେ ଅନେକ ଗୋପନୀୟ ତଥ୍ୟ ସାମନାକୁ ଆସିବା ନେଇ ସୂଚନା ମିଳିଛି ।
ସୂଚନା ଅନୁସାରେ, ୧୩ ତାରିଖରେ ଗିରଫ ହୋଇଥିବା ଚାନ୍ଦିପୁର ଆଇଟିଆରର ଠିକା ଏସି ଅପରେଟର ବସନ୍ତ ବେହେରା, ସେକ୍ ମୁସାଫିର, ମୁଖ୍ୟ ଫାଟକର ସୁରକ୍ଷାକର୍ମୀ ତାପସ ରଞ୍ଜନ ନାୟକ, ଡିଜି ଅପରେଟର୍ ହେମନ୍ତ କୁମାର ମିସ୍ତ୍ରି ଏବଂ ୧୬ ତାରିଖରେ ଗିରଫ ହୋଇଥିବା ଆଇଟିଆରର ଗାଡ଼ି ଡ୍ରାଇଭର୍ ଉତ୍ତରପ୍ରଦେଶର ସଚିନ କୁମାର ଛେତାଙ୍କୁ କ୍ରାଇମବ୍ରାଞ୍ଚ ଏକକାଳୀନ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି । କ୍ରାଇମବ୍ରାଞ୍ଚ ଏସଆଇଟି ବାଲେଶ୍ୱର ଏସଡିଜେଏମଙ୍କ ଅଦାଲତରେ ୭ଦିନିଆ ରିମାଣ୍ଡ ଆବେଦନ କରିଥିବାବେଳେ ସେମାନଙ୍କୁ ରିମାଣ୍ଡରେ ନେବା ପାଇଁ ଅନୁମତି ମିଳିବ ବୋଲି ଅନୁମାନ କରାଯାଉଛି ।
Powered by Froala Editor