ମହାନଦୀରେ ବର୍ତ୍ତମାନ ବନ୍ୟା ସ୍ଥିତି ଆଶଙ୍କା ନାହିଁ :ପ୍ରଦୀପ ଜେନା

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜୁଥିବାରୁ ଏହାକୁ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ସୂଚନା ମୂତାବକ ଉପର ମୁଣ୍ଡରେ ବର୍ଷା କମିଛି ,ହୀରାକୁଦକୁ ଜଳ ପ୍ରବେଶ ମଧ୍ୟ କମିବାରେ ଲାଗିଛି ତେଣୁ ବର୍ତ୍ତମାନ ବନ୍ୟା ସ୍ଥିତି ଆଶଙ୍କା କରାଯାଉନାହିଁ । ବର୍ତ୍ତମାନ ୪.୭୦ ଲ୪ କ୍ୟୁସେକ୍ ପଶୁଛି ଏବଂ ୪.୮୪ ଲକ୍ଷ ନିଷ୍କାସନ ହେଉଛି ।
ହୀରାକୁଦରୁ ଆସୁଥିବା ପାଣି କାଲି ସକାଳେ ମୁଣ୍ଡୁଳିରେ ପିକ୍ ଧରିବ ଏବଂ କାଲି ସକାଳେ ମୁଣ୍ଡଳିରେ ସାଢେ ୭ରୁ ୮ଲକ୍ଷ କ୍ୟୁସେକ୍ ପାଣି ଯିବ । ତେଣୁ ଏସବୁକୁ ଦେଖିଲେ ମହାନଦୀରେ ବିଶେଷ କିଛି ସମସ୍ୟା ଆଶା କରାଯାଉନି ବୋଲି କହିଛନ୍ତି ଏସଆରସି । ସେପଟେ ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତିକୁ ନେଇ ଏସଆରସି ମଧ୍ୟ ସୂଚନା ଦେଇଛନ୍ତି ।
ବୈତରଣୀ ,ବୁଢାବଳଙ୍ଗ ଏବଂ ଜଳକା ନଦୀ ଜଳସ୍ତର କମୁଛି କିନ୍ତୁ ସୁବର୍ଣ୍ଣରେଖା ଜଳସ୍ତର ବଢୁଛି ଯାହା ଆଜି ରାତିରେ ପିକ୍ ଛୁଇଁବ । ଆଜି ରାତିରେ ରାଜଘାଟଠାରେ ଜଳସ୍ତର ୧୧୫ ମିଟର ପହଂଚି ପାରେ ।
ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ଏହା ଯୋଗୁଁ ବିଶେଷ କିଛି ଅସୁବିଧା ହେବନାହିଁ ବୋଲି ଆଶା କରାଯାଇଛି । ଭୋଗରାଇ ଓ ବାଲିଆପାଳର କିଛି ତଳି ଅଚଂଳରେ ପାଣି ପଶିପାରେ । ତେଣୁ ଏଥିପାଇଁ ଜିଲ୍ଲା ପ୍ରଶାସନ ପୁରା ସଜାଗ ଥିବା କଥା ମଧ୍ୟ କୁହାଯାଇଛି ।
ଅନ୍ୟପକ୍ଷରେ କଟକ ମୁଣ୍ଡଳିରେ କାଲି ସକାଳ ସୁଦ୍ଧା ସାଢେ ୭ ଲକ୍ଷ କ୍ୟୁସେକ୍ ପାଣି ପ୍ରବାହିତ ହେବ । ଏବେ ମୁଣ୍ଡଳିରେ ୬ ଲକ୍ଷ ୨୬ ହଜାର କ୍ୟୁସେକ ପାଣି ଯାଉଛି । ବର୍ଷା ନ ହେଲେ ଏପରି ସ୍ଥିତି ଜାରି ରହିବ । ଆଉ ବେଶି ପାଣି ଆସିବନି ବୋଲି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ ସୂଚନା ଦେଇଛନ୍ତି । ପୂର୍ଣ୍ଣିମା ତିଥି ଆଗକୁ ଥିବାରୁ ସମୁଦ୍ର ଜୁଆରି ରହୁଛି । ନଦୀ ମୁହାଣ ଦେଇ ଅଧିକ ପାଣି ସମୁଦ୍ରକୁ ଯାଇପାରୁନି। ଏଥିଯୋଗୁଁ ତଳିଆ ଅଞ୍ଚଳରେ କିଛିଟା ବନ୍ୟା ପରିସ୍ଥିତି ସୃଷ୍ଟି କରିବ ।
Powered by Froala Editor