ଯୁକ୍ତ ତିନି ନାମଲେଖା ଘୁଞ୍ଚିଲା
ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଓ କିଛି ସ୍ଥାନରେ ବନ୍ୟା ଯୋଗୁଁ ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ନାମଲେଖାରେ ମନୋନୀତ ବହୁ ଛାତ୍ରଛାତ୍ରୀ ଆସିପାରିନାହାନ୍ତି । କିଛି ଛାତ୍ରଛାତ୍ରୀ ଓ ଅଭିଭାବକ ନାମଲେଖା ଅବଧି ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ । ତେଣୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ ମେଧା ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀଙ୍କ ରିପୋର୍ଟିଂ ତାରିଖକୁ ଆସନ୍ତା ୧୮ ତାରିଖ ଯାଏ ବୃଦ୍ଧି କରାଯାଇଛି । ସେହିପରି ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଆସନ୍ତା ୧୭ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଅନଲାଇନରେ ଫି’ଦାଖଲ କରିପାରିବେ । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପରଫରମାନ୍ସ ଟ୍ରାକିଂ ସେଲର ଉପନିଦେ୍ର୍ଧଶକ ଡ. ରାଜେଶ କୁମାର ସାହୁ ଏହି ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ସେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି । ସେହିପରି ପ୍ରଥମ ପର୍ଯ୍ୟାୟ ନାମଲେଖାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ଆସନ୍ତା ୧୩ ତାରିଖରୁ ୧୮ ତାରିଖ ରାତି ୧୧ଟା ୪୫ ସ୍ଲାଇଡ ଅପ ଅପ୍ସନରେ ଅପଡେଟ କରିପାରିବେ । ଦ୍ୱିତୀୟ ମେଧା ତାଲିକା ୨୧ ତାରିଖ ପରିବର୍ତ୍ତେ ୨୩ ତାରିଖ ଦିନ ୧୧ଟାରେ ପ୍ରକାଶ ପାଇବ । ଏଥିରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ଚଳିତ ମାସ ୨୬ ତାରିଖ ପର୍ଯ୍ୟନ୍ତ ରିପୋର୍ଟିଂ କରିପାରିବେ । ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସରିବା ପରେ ଖାଲିଥିବା ସିଟଗୁଡ଼ିକ ପୂରଣ ପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନିୟମାବଳୀ ଜାରି କରିବ ବୋଲି ଡ.ସାହୁ କହିଛନ୍ତି ।
Powered by Froala Editor