ଗରୁଡ ପୁରାଣ କୁହେ ମହିଳା ମାନେ କରିପାରିବେ ଶ୍ରାଦ୍ଧ ତର୍ପଣ
ହିନ୍ଦୁ ଧର୍ମର ୧୮ଟି ପୁରାଣ ମଧ୍ୟରୁ ଗରୁଡ ପୁରାଣରେ ସିଧାସଳଖ ସମ୍ପର୍କ ଭଗବାନ ବିଷ୍ଣୁଙ୍କ ସହ ରହିଛି । ଏହି ଗ୍ରନ୍ଥରେ ମଣିଷର ଜନ୍ମ, ମୃତୁ୍ୟ, ଶ୍ରାଦ୍ଧ ତଥା ପିଣ୍ଡାଦାନ ବିଷୟରେ ଉଲ୍ଲେଖ ରହିଛି । ବିଶ୍ୱାସ ରହିଛି ଯେ ମଣିଷର ମୃତୁ୍ୟ ପରେ ଠିକ୍ ଭାବେ ପିଣ୍ଡଦାନ କଲେ ତାର ଆତ୍ମାକୁ ଶାନ୍ତି ମିଳିଥାଏ । କିନ୍ତୁ ବହୁବର୍ଷ ଧରି ଚାଲି ଆସୁଥିବା ପରମ୍ପରା ଅନୁସାରେ କେବଳ ପୁରୁଷମାନେ ହିଁ ଏହି ପିଣ୍ଡଦାନ କରିଥାନ୍ତି ଓ କୁହାଯାଏ ଏହି କାମ ମହିଳାମାନେ କରିବା ଉଚିତ୍ ନୁହେଁ । କିନ୍ତୁ ଗରୁଡ ପୁରାଣରେ ବର୍ଣ୍ଣିତ ଯେଉଁ ବ୍ୟକ୍ତିଙ୍କର କୌଣସି ପୁତ୍ର ସନ୍ତାନ ନଥାନ୍ତି, ଏପରି ସ୍ଥିତିରେ ଘରର ମହିଳା, କନ୍ୟାସନ୍ତାନ ପିତୃପୁରୁଷଙ୍କ ପିଣ୍ଡଦାନ କରିପାରିବେ । ଏହି ପୁରାଣ ଅନୁଯାୟୀ ଯଦି କନ୍ୟା ସନ୍ତାନମାନେ ଶ୍ରଦ୍ଧାର ସହ ପିତୃପୁରୁଷଙ୍କ ପିଣ୍ଡଦାନ କରନ୍ତି, ପୂର୍ବଜ ମାନେ ଏହାକୁ ଗ୍ରହଣ କରିଥାନ୍ତି ଓ ଆଶୀର୍ବାଦ ମଧ୍ୟ ଦେଇଥାନ୍ତି । ଘରର ବଧୂ କିମ୍ବା ପତ୍ନୀବି ପିଣ୍ଡଦାନ କରିପାରିବେ । ଯେମିତିକି ବାଲ୍ମିକି ରାମାୟଣରେ ଉଲ୍ଲେଖ ରହିଛି, ବନବାସ ସମୟରେ ପ୍ରଭୁ ରାମଚନ୍ଦ୍ର, ସାନଭାଈ ଲକ୍ଷ୍ମଣ ଓ ମାତା ସୀତା ଦଶରଥଙ୍କ ଶ୍ରାଦ୍ଧ ଦେବାକୁ ଗୟା ଯାଇଥିଲେ । ଏହି ସମୟରେ ଦୁଇ ଭାଈ ସାମଗ୍ରୀ ଏକାଠି କରିବାକୁ ବଣକୁ ଯାଇଥିବା ସମୟରେ ମାତା ସୀତାଙ୍କୁ ରାଜା ଦଶରଥ ଦର୍ଶନ ଦେଇ, ସୀତାଙ୍କୁ ପିଣ୍ଡଦାନ ଦେବାକୁ କହିଥିଲେ । ଏହାପରେ ମାତା ସୀତା ବଟବୃକ୍ଷ ମୂଳରେ, କେତକୀ ଫୁଲରେ ଫଲ୍ଗୁ ନଦୀ କୂଳରେ ଶ୍ରାଦ୍ଧ ଦେଇଥିଲେ । ଏଥିରେ ରାଜା ଦଶରଥ ସନ୍ତୁଷ୍ଟ ହୋଇଥିଲେ । ଏଣୁ ପୁତ୍ରବଧୂ ମାନଙ୍କର ମଧ୍ୟ ପିଣ୍ଡଦାନ କରିବାର ଅଧିକାର ଅଛି ବୋଲି ପୁରାଣରେ ବର୍ଣ୍ଣିତ ହୋଇଛି ।
Powered by Froala Editor