ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ପହଞ୍ଚିବ ହୀରାକୁଦ ବନ୍ୟା ଜଳ
ଭୁବନେଶ୍ୱର: ଆଜି ସନ୍ଧ୍ୟା ସୁଦ୍ଧା ହୀରାକୁଦ ବନ୍ୟା ଜଳ ମୁଣ୍ଡଳିରେ ପହଞ୍ଚିବ । ମୁଣ୍ଡଳି ପରିଦର୍ଶନ ବେଳେ ଏହି ସୂଚନା ଦେଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ।
ସେ କହିଛନ୍ତି ଯେ, ଏବେ ମୁଣ୍ଡଳିରେ ଜଳସ୍ତର ଖସୁଛି । ତଳ ମୁଣ୍ଡରେ ଆଉ ବର୍ଷା ନାହିଁ । ମୁଣ୍ଡଳିରେ ସର୍ବାଧିକ ୬.୪୩ ଲକ୍ଷ କୁ୍ୟସେକ ଜଳ ପ୍ରବାହିତ ହେଉଥିଲା । ଏବେ ପ୍ରବାହିତ ଜଳ ପରିମାଣ ଖସି ୫.୯୬ ଲକ୍ଷ କୁ୍ୟସେକରେ ପହଞ୍ଚିଛି । ହୀରାକୁଦ ଜଳ ମୁଣ୍ଡଳିରେ ପହଞ୍ଚିବାକୁ ୩୬ ଘଣ୍ଟା ସମୟ ଲାଗିଥାଏ । ଆଜି ସନ୍ଧ୍ୟାରୁ ହୀରାକୁଦ ଜଳ ପହଞ୍ଚିବା ଆରମ୍ଭ ହେବ । ହୀରାକୁଦ ଜଳ ପହଞ୍ଚିବା ବେଳକୁ ସ୍ଥାନୀୟ ଜଳ କମି ଯାଇଥିବ । ଆଉ ବଢିବାର ନାହିଁ । ବନ୍ୟାର ବିଶେଷ କିଛି ଆଶଙ୍କା ନାହିଁ ବୋଲି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି ।
ପ୍ରକାଶ ଯେ, ଛତିଶଗଡ଼ର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମର ଜଳସ୍ତର ବଢିବାରେ ଲାଗିଛି । ଯେଉଁଥି ପାଇଁ ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ ଖୋଲାଯାଇଛି । ଏବେ ୨୮ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି । ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ହୁ ହୁ ବଢିବାରେ ଲାଗିଛି ।
ସକାଳ ୭ଟାରେ ହୀରାକୁଦ ଜଳସ୍ତର ୬୨୮.୪୧ ଫୁଟ ଥିଲା । ତେବେ ସକାଳ ୮ଟାରେ ତାହା ବଢି ୬୨୮.୪୫ ଓ ୯ଟାରେ ୬୨୮.୫୦ ଫୁଟ ହୋଇଥିଲା । ୧୦ଟାରେ ଜଳସ୍ତର ୬୨୮.୫୬ ଓ ୧୧ଟାରେ ୬୨୮.୬୨ ଫୁଟ ରହିଥିବା ଜଣାଯାଇଛି ।
Powered by Froala Editor