ପିପିଲି ଉପନିର୍ବାଚନ: ବିଜେଡି ପ୍ରାର୍ଥୀ ପାଇଁ ଏମାନେ କରିବେ ପ୍ରଚାର
ଭୁବନେଶ୍ୱର : ପିପିଲି ଉପନିର୍ବାଚନ ପାଇଁ ରାଜ୍ୟର ୩ ପ୍ରମୁଖ ଦଳ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହୋଇସାରିଲେଣି । ଗତ ମଙ୍ଗଳବାର ବିଜେପି ନିଜର ତାରକା ପ୍ରଚାରକ ତାଲିକା ପ୍ରକାଶ କରି ସାରିଥିବା ବେଳେ ବୁଧବାର ବିଜେଡି ଓ କଂଗ୍ରେସ ନିଜର ତାଲିକା ପ୍ରକାଶ କରିଛନ୍ତି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ମଇଦାନକୁ ଓହ୍ଲାଉଥିବା ବେଳେ କୌଣସି ସିନେ ଅଭିନେତାଙ୍କୁ ଏଥିରେ ସ୍ଥାନ ମିଳିନାହିଁ । ବିଜେଡିର ପ୍ରଚାରକ ତାଲିକାରେ ନବୀନ ପଟ୍ଟନାୟକଙ୍କ ସମେତ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ମହେଶ୍ୱର ମହାନ୍ତି, ଦେବୀ ପ୍ରସାଦ ମିଶ୍ର, ପିନାକୀ ମିଶ୍ର, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରମିଳା ମଲ୍ଲିକ, ସଂଜୟ ଦାସବର୍ମା, ସମୀର ରଂଜନ ଦାଶ, ସୁଶାନ୍ତ ସିଂ, ସ୍ନେହାଙ୍ଗିନୀ ଛୁରିଆ, ପ୍ରୀତି ରଂଜନ ଘଡ଼ାଇ, ଉମାକାନ୍ତ ସାମନ୍ତରାୟ, ପ୍ରଣବ ବଳବନ୍ତରାୟ, ବ୍ୟମୋକେଶ ରାୟ, ବିଭୂତି ବଳବନ୍ତରାୟ, ତୁଷାରକାନ୍ତି ବେହେରା, ଦେବୀ ରଂଜନ ତ୍ରିପାଠୀ ଓ ସୁଧୀର ରଂଜନ ସାମଲ ରହିଛନ୍ତି ।
ଅନ୍ୟପକ୍ଷରେ ଆସନ୍ତା ୨୦ରୁ ୨୮ ପର୍ଯ୍ୟନ୍ତ ପିପିଲିରେ ବିଜେଡି ପକ୍ଷରୁ ପ୍ରଚାର କରାଯିବ । ଆଜି ବିଜେଡିର ଏକ ବୈଠକ ପରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ ।
ସେ କହିଛନ୍ତି ଯେ, ଆସନ୍ତା ୨୦ରୁ ୨୮ ତାରିଖ ଯାଏ ବିଜେଡି ପ୍ରଚାର କରିବ । ମୁଖ୍ୟମନ୍ତ୍ରୀ ପିପିଲି ଯିବେ କି ଭର୍ଚୁଆଲରେ ପ୍ରଚାର କରିବେ ସେ ସମ୍ପର୍କରେ କିଛି ସ୍ଥିର ହୋଇନାହିଁ । ବଡ଼ ମିଟିଂ ନକରି ୱାର୍ଡସ୍ତରରେ ଛୋଟ ମିଟିଂ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଦେ୍ର୍ଧଶ ଦେଇଛନ୍ତି ବୋଲି ମନ୍ତ୍ରୀ ସୁଶାନ୍ତ ସିଂ ସୂଚନା ଦେଇଛନ୍ତି ।
ପ୍ରକାଶ ଯେ, ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏହି ନିର୍ବାଚନମଣ୍ଡଳୀ ଖାଲି ପଡ଼ିଛି । ଆସନ୍ତା ୩୦ ତାରିଖରେ ଏଠାରେ ମତଦାନ ହେବ । ପୂର୍ବରୁ ଦୁଇ ଥର ଉପନିର୍ବାଚନ ତାରିଖ ଘୋଷଣା ହେଲା ପରେ ଘୁଞ୍ଚିଛି । ପ୍ରଥମେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନାରେ ଦେହାନ୍ତ ହେଇଯିବାରୁ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ଦ୍ୱିତୀୟ ଥର ତାରିଖ ଘୋଷଣା ହୋଇଥିଲେ ବି କୋଭିଡ ଦ୍ୱିତୀୟ ଲହର ଯୋଗୁ ଉପନିର୍ବାଚନକୁ ପୁନର୍ବାର ସ୍ଥଗିତ ରଖାଯାଇଥିଲା ।
Powered by Froala Editor