ଏହି ବିଧାୟକଙ୍କୁ ପୁଲିସ ନୋଟିସ !
ଖୋର୍ଦ୍ଧା : ଗତ ୮ ତାରିଖରେ ବାଲୁଗାଁ ଏନଏସିରେ ବିଜେପିର ନଗର ମଣ୍ଡଳ ଅଧ୍ୟକ୍ଷ ଓ ଅନ୍ୟ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରିବା ଓ ଗାଳିଗୁଲଜ କରିବା ମାମଲାରେ ପୁଲିସ ଗତକାଲି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଭୁବନେଶ୍ୱରସ୍ଥ ସରକାରୀ ବାସଭବନକୁ ଖୋଜାଖୋଜି କରିଛି । ମାତ୍ର ବିଧାୟକ ଶ୍ରୀ ଜଗଦ୍ଦେବ ସେଠାରେ ନ ଥିବାରୁ ପୁଲିସ ଖାଲି ହାତରେ ଫେରିଛି । ତେବେ ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ନିରୋଧ ଆଇନରେ ବିଧାୟକ ଜଗଦ୍ଦେବଙ୍କ ଜେରା କରିବାର ଆବଶ୍ୟକତା ରହିଛି । ଯେହେତୁ ପୁଲିସ ତାଙ୍କୁ ତାଙ୍କର ଫୋନ୍ ନମ୍ବର କିମ୍ବା ସରକାରୀ ବାସଭବନରେ ଠାବ କରିପାରିନାହିଁ ଏଣୁ ତାଙ୍କୁ ଥାନାରେ ହାଜର ହେବାକୁ ନୋଟିସ ଜାରି କରିବ ବୋଲି ଜଣାଯାଇଛି । ସୂଚନାନୁସାରେ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ବାଲୁଗାଁ ଥାନାରେ ୧୫୬ ଓ ୧୫୭/୨୦୨୧ରେ ଦୁଇଟି ଏତଲା ରୁଜୁ ହୋଇଛି । ଉଭୟ ମାମଲାରେ ଏସସି/ଏସଟି ଆଟ୍ରୋସିଟି ପ୍ରିଭେନ୍ସନ ଆକ୍ଟର ଦଫା ୩(୧) ଆର-ଏସ ଲାଗିଛି । ସିଆରପିସି ନିୟମ ଅନୁସାରେ ଜଣେ ଏସଡିପିଓଙ୍କ ଅଧୀନରେ ଏହି ମାମଲାର ତଦନ୍ତ କରାଯିବ ଓ ବର୍ତ୍ତମାନ ବାଲୁଗାଁ ଏସଡିପିଓ ଏହି ମାମଲାର ତଦନ୍ତ ଦାୟିତ୍ୱରେ ଅଛନ୍ତି । ଏହାସହ ଏହି ମାମଲାର ଦଣ୍ଡ ଅବଧି ୭ ବର୍ଷ ହୋଇଥିବାରୁ ଅଭିଯୁକ୍ତଙ୍କୁ ଜେରା କରିବା ଆବଶ୍ୟକତା ରହିଛି । ଏହି ଦୃଷ୍ଟିରୁ ପୁଲିସ ପ୍ରଥମେ ବିଧାୟକ ଶ୍ରୀ ଜଗଦ୍ଦେବଙ୍କୁ ଫୋନରେ ଯୋଗାଯୋଗ କରି ବିଫଳ ହୋଇଥିଲା । ପରେ ଖୋର୍ଦ୍ଧା ଏସଡିପିଓ ସୁଶୀଲ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ ତାଙ୍କ ଭୁବନେଶ୍ୱରସ୍ଥ ସରକାରୀ ବାସଭବନ ଆଇଭିଆରର-୩୦୫କୁ ପଚାରାଉଚୁରା କରିବାକୁ ଯାଇଥିଲା । ମାତ୍ର ସେଠାରେ ବିଧାୟକଙ୍କୁ ନପାଇ ଫେରିଆସିଥିଲା । ଜେରା ପାଇଁ ବିଧାୟକଙ୍କୁ ଠାବ କରାଯାଇପାରୁନାହିଁ, ତାଙ୍କ ବିରୋଧରେ ଥାନାରେ ହାଜର ହେବା ପାଇଁ ପୁଲିସ ପକ୍ଷରୁ ନୋଟିସ ଜାରି କରାଯିବ ବୋଲି ଜଣାଯାଇଛି । ଯେହେତୁ ଶନିବାର ଓ ରବିବାର ଛୁଟି ରହୁଛି, ସୋମବାର ଏନେଇ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ବ୍ୟବସ୍ଥା କରାଯିବ ବୋଲି ମାମଲା ସହ ଜଡ଼ିତ ଥିବା ଜଣେ ପଦସ୍ଥ ପୁଲିସ ଅଧିକାରୀ କହିଛନ୍ତି । ଅପରପକ୍ଷରେ, ଏନେଇ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମିରଂଜନ ମହାପାତ୍ର କହିଛନ୍ତି ଯେ ଏହି ମାମଲାରେ ତାଙ୍କର ଗିରଫଦାରି ଯାଏ ବିଜେପି ଚୁପ ବସିବ ନାହିଁ । ସୋମବାର ପ୍ରଶାନ୍ତଙ୍କ ଗିରଫଦାରୀ ପାଇଁ ଖୋର୍ଦ୍ଧା ଗ୍ରାମାଞ୍ଚଳ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ସେହିଭଳି ଅଭିଯୋଗକାରୀ ନିରଂଜନ ସେଠୀ କହିଛନ୍ତି ଯେ ସେ ମାଡ଼ ଖାଇଛନ୍ତି ଓ ବିନାକାରଣରେ ଅପମାନିତ ହୋଇଛନ୍ତି । ଏଣୁ ତାଙ୍କୁ ନ୍ୟାୟ ମିଳିବା ଯାଏ ସେ ନିଜର ଆଇନଗତ ଲଢେ଼ଇ ଜାରି ରଖିବେ । ବିଧାୟକଙ୍କୁ ଗିରଫ କରାନଗଲେ ସେ ଥାନା ସମ୍ମୁଖରେ ଧାରଣାରେ ଦେବେ ବୋଲି ଶ୍ରୀ ସେଠୀ କହିଛନ୍ତି ।
Powered by Froala Editor