ଏଣିକି ଅଣ୍ଡାରେ ରହିବ ଏକ୍ସପାଏରୀ ତାରିଖ
ଏଣିକି ୟୁପିରେ ସବୁ ଅଣ୍ଡା ଉପରେ ଉତ୍ପାଦନ ତିଥି ଏବଂ ଏକ୍ସପାଏରୀ ତାରିଖ ମୋହର ଲାଗିବ । ଗ୍ରାହକ ତାରିଖ ଦେଖି କିଣିବେ ଅଣ୍ଡା । ଏପ୍ରିଲ ୧ରୁ ଲାଗୁ ହେବ ନିୟମ । ତାଜା ଅଣ୍ଡା କହି ଖରାପ ଅଣ୍ଡା ବିକି ପାରିବେନି ଦୋକାନୀ । ଉତ୍ତର ପ୍ରଦେଶରେ ଏହି ନିୟମ ଲାଗୁ ହୋଇଛି । ଖାଉଟିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଭଳି ପଦକ୍ଷେପ ନେଇଛନ୍ତି । ଗ୍ରାହକମାନେ ମଧ୍ୟ ଅଣ୍ଡା କେତେ ପୁରୁଣା ଜାଣି ପାରୁନଥିଲେ । ଏହି ନିୟମ ଲାଗି ହେବା ପରେ ଏବେ ଦୋକାନରେ ତାଜା ଅଣ୍ଡା ମିଳିବ । ଉତ୍ତର ପ୍ରଦେଶରେ ଖାଦ୍ୟ ସୁରକ୍ଷା ଦିଗରେ ସରକାରଙ୍କ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
ସୂଚନାନୁଯାୟୀ, ପ୍ରାୟ ୩୦ ଡିଗ୍ରୀ ତାପମାତ୍ରାରେ ଅଣ୍ଡା କେବଳ ୨ ସପ୍ତାହ ଯାଏଁ ଭଲ ରୁହେ । ଥଣ୍ଡା ସ୍ଥାନରେ ରଖିଲେ ୫ ସପ୍ତାହ ଯାଏଁ ଅଣ୍ଡା ରହିପାରେ । ହେଲେ ଦୋକାନୀ ଏବଂ ବେପାରୀମାନେ କୋଲ୍ଡ ଷ୍ଟୋରେଜରେ ଅଧିକ ଦିନ ଧରି ଅଣ୍ଡା ରଖି ବିକ୍ରି କରୁଛନ୍ତି । ଆଗରୁ ଦୋକାନୀମାନେ ପୁରୁଣା ଅଣ୍ଡା ଗୁଡ଼ିକୁ ତାଜା ଅଣ୍ଡା କହି ବିକି ଦେଉଥିଲେ । ଏହି ନିୟମ ଲାଗୁ ହେବା ପରେ ଯଦି କୌଣସି ଅସାଧୁ ବ୍ୟବସାୟୀ ନିୟମ ନମାନନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ୟୁପିର ଜଣେ ପଶୁ ଚିକିତ୍ସା ଅଧିକାରୀ କହିଛନ୍ତି ଯେ, ମଣିଷର ସ୍ୱାସ୍ଥ୍ୟ ସହ ଅଣ୍ଡା ସିଧାସଳଖ ଭାବେ ଜଡ଼ିତ । ତେଣୁ ଏହି ପଦକ୍ଷେପ ନିହାତି ଭାବେ ସ୍ୱାଗତଯୋଗ୍ୟ ।
Powered by Froala Editor