ରହସ୍ୟରେ ରହିଗଲା ବ୍ଲାକ୍ ରୋଜ
ପାରାଦୀପ: ପ୍ରଥମେ କିଛି ଦିନ ତୁମ୍ବି ତୋଫାନ ହେଲା । ରାଜ୍ୟ ରାଜନୀତିରେ କମ୍ପନ ଖେଳିଗଲା । ବିଧାନସଭାରେ ପ୍ରସଙ୍ଗ ଉଠିଲା । ସରକାରଙ୍କୁ ଘେରିଲେ ବିରୋଧୀ । ବ୍ରାଇମବ୍ରାଞ୍ଚରୁ ନେଇ ସିବିଆଇ ପର୍ଯ୍ୟନ୍ତ ତଦନ୍ତ ବି କଲେ । ହେଲେ କିଛି ଫଳ ମିଳିଲାନି । ନା ସମୁଦ୍ରରୁ ଜାହାଜ ବାହାର କରାଗଲା ନା ଏଥିରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲା । ଏବେ ଘଟଣାକୁ ଅଧିକାଂଶ ଭୁଲି ଗଲେଣି । କେବଳ ତାରିଖ ଆସିଲେ ଏହାକୁ କିଛି ଗଣମାଧ୍ୟମ ବ୍ଲାକ୍ ରୋଜ ବିଷୟରେ କିଛି ଖବର ପ୍ରସାରଣ କରୁଛନ୍ତି । ମାତ୍ର ସରକାରୀ କଳରେ ଏହା ଫାଇଲ୍ ଭିତରେ ଚାପି ହୋଇ ରହିଯାଇଛି । ମୋଟାମୋଟି ଭାବେ କହିବାକୁ ଗଲେ ରହସ୍ୟରେ ରହିଗଲା ବ୍ଲାକ୍ ରୋଜ ବୁଡ଼ି ଘଟଣା ।
୨୦୦୯ ସେପ୍ଟେମ୍ବର ୯ ତାରିଖ । ଏହି ଦିନ ଥିଲା ପାରାଦୀପ ପାଇଁ ଅଶୁଭ । ପାରାଦୀପର ସମୁଦ୍ର ଉପକୂଳରେ ବୁଡ଼ି ଯାଇଥିଲା ବ୍ଲାକ୍ ରୋଜ । ଇତିମଧ୍ୟରେ ଘଟଣାକୁ ପୂରିଛି ୧୨ ବର୍ଷ । ସେତେବେଳେ ଏହି ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ସବୁ ଘଟଣା ଭଳି ଏହାକୁ ବି ଧୀରେ ଧୀରେ ସମସ୍ତେ ପାସୋରି ଗଲେଣି । କହିବାକୁ ଗଲେ ଏହାର ଫାଇଲ୍ ଏକରକମ ବନ୍ଦ ହୋଇଗଲାଣି ।
ଏମଭି ବ୍ଲାକ୍ ରୋଜ୍ ବୁଡ଼ି ଘଟଣାରେ ଜାହାଜର ମୁଖ୍ୟଯନ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା । ୨୬ଜଣ କ୍ରିଉ ମେମ୍ବର୍ସଙ୍କୁ ଉଦ୍ଧାର କରାଯାଇଥିଲା । ତଦନ୍ତ ବେଳେ ଜଣାପଡ଼ିଥିଲା ଜାଲ୍ କାଗଜପତ୍ରରେ ଜାହାଜରେ ବିଦେଶକୁ ଲୁହାପଥର ଚୋରା ଚାଲାଣ ହେଉଥିଲା । ଜାହାଜର କାଗଜପତ୍ର ବି ନକଲି ଥିବା ଜଣାପଡିଥିଲା । ଏହାପରେ ଆରମ୍ଭ ହୋଇଥିଲା ତନାଘନା । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତଦନ୍ତ ଦାବି କରାଯାଇଥିଲା । ବିରୋଧୀ ଦଳ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରି ଥିଲେ । ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା । ମାମଲା ହାଇକୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଛି । ହେଲେ ଏ ପର୍ଯ୍ୟନ୍ତ ଘଟଣା ଉପରୁ ରହସ୍ୟ ଉଠି ପାରିନି ।
କେବଳ ସେତିକି ନୁହେଁ, ଜାହାଜରୁ ତେଲ ବାହାରି ସମୁଦ୍ର ପାଣିରେ ମିଶିଥିଲା । ଏଥିପାଇଁ ଜୈବ ବିବିଧତା ଉପରେ ପ୍ରଭାବ ପଡ଼ିବା ଆଶଙ୍କା କରି କିଛି ପରିବେଶବିତ୍ ଏହାକୁ ଘୋର ବିରୋଧ କରିଥିଲେ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା । ଏହାପରେ ଜାହାଜରୁ ତେଲ ବାହାର କରାଯାଇଥିଲା । ମାତ୍ର ସେତିକିରେ ସବୁକିଛି ଅଟକି ଯାଇଛି । ଜାହାଜ ଏବେ ବି ସମୁଦ୍ରରେ ବୁଡ଼ି ରହିଛି । ୨-୩ ବର୍ଷ ହେଲା ଏହା ଆଉ ବାହାରକୁ ଦେଖା ଯାଉନି । ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ମତ୍ସଜୀବୀଙ୍କ ଡଙ୍ଗା, ଟ୍ରଲର ଜାହାଜରେ ପିଟି ହେଉଥିବାରୁ ନଜିର ମଧ୍ୟ ରହିଛି ।
୩ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ସିବିଆଇ ତଦନ୍ତ ଏବେ କେଉଁଠି କିଭଳି ଅବସ୍ଥାରେ ଅଟକିଛି ତାହା ସ୍ପଷ୍ଟ ହୋଇନାହିଁ । ଜାହାଜକୁ କାଟି ପାଣିରୁ ହଟାଇବା ଯୋଜନା ବି ନାହିଁ । କାରଣ ଅତୀତରେ ପାରାଦୀପ ବନ୍ଦର ୧୭ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରି ସାରିଛି । ଯାହା ଏଯାଏ ଭରଣା ହୋଇନି । ଜାହାଜଟିକୁ ପାଣିରୁ ହଟାଇବାକୁ ହେଲେ ଆହୁରି ୧୨୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଏଥିପାଇଁ ସମସ୍ତେ ଚୁପ୍ଚାପ୍ ହୋଇ ବସି ଯାଇଛନ୍ତି । ତେବେ କେବେ ଏହା ଉପରୁ ପରଦା ହଟୁଛି ତାହା ଏବେ ଦେଖିବାକୁ ବାକି ରହିଲା ।
Powered by Froala Editor